ନିର୍ବାଚନୀ ସତ୍ୟପାଠରେ ସମ୍ପତ୍ତି ଲୁଚାଇବା ମହଙ୍ଗା ପଡ଼ିଲା; ଆରଜେଡି ନେତା ତେଜ ପ୍ରତାପଙ୍କ ବିରୋଧରେ ମାମଲା ରୁଜୁ

ପାଟନା: ୨୦୨୦ ବିଧାନସଭା ନିର୍ବାଚନ ପୂର୍ବରୁ ଦାଖଲ କରିଥିବା ସତ୍ୟପାଠରେ ସମ୍ପତ୍ତି ତଥ୍ୟ ଲୁଚାଇଥିବା ଅଭିଯୋଗରେ ଆରଜେଡି ନେତା ତଥା ବିହାରର ପୂର୍ବତନ ମନ୍ତ୍ରୀ ତେଜ ପ୍ରତାପ ଯାଦବଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ସମସ୍ତିପୁର ପୁଲିସ ସୁପରିଟେଣ୍ଡେଣ୍ଟ୍ ମାନବଜିତ ସିଂହ ଧିଲନ କହିଛନ୍ତି, ଲୋକ ପ୍ରତିନିଧି ଅଧିନିୟମ ଅନୂଯାୟୀ ଉପଖଣ୍ଡସ୍ତରୀୟ ଅଧିକାରୀ ବ୍ରଜେଶ କୁମାର ତେଜ ପ୍ରତାପଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଅଭିଯୋଗରେ ବ୍ରଜେଶ କୁମାର କହିଛନ୍ତି, ତେଜ ପ୍ରତାପ ଗୋପାଳଗଞ୍ଜର ସମ୍ପତ୍ତି ବିଷୟରେ ଦାଖଲ ସତ୍ୟପାଠରେ ତଥ୍ୟ ଲୁଚାଇଛନ୍ତି । ତେଜ ପ୍ରତାପ ନିର୍ବାଚନ ବେଳେ ସତ୍ୟପାଠରେ ଭୁଲ୍ ତଥ୍ୟ ଦେଇଥିବା ଅଭିଯୋଗରେ ଆୟକର ବିଭାଗ ତେଜ ପ୍ରତାପଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରି ୩ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କହିଥିଲେ। କିନ୍ତୁ ତେଜ ପ୍ରତାପ ଜବାବ ଦାଖଲ କରି ନଥିଲେ । ତେଣୁ ବ୍ରଜେଶ କୁମାର ନିର୍ବାଚନ କମିଶନଙ୍କୁ ତେଜ ପ୍ରତାପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ନିର୍ବାଚନ ପୂର୍ବରୁ ପ୍ରାର୍ଥୀମାନଙ୍କୁ ନିଜର ସମସ୍ତ ସମ୍ପତ୍ତି ବିଷୟରେ ସତ୍ୟପାଠ ଜରିଆରେ ତଥ୍ୟ ଦେବାକୁ ହୋଇଥାଏ । ଯେଉଁ ପ୍ରାର୍ଥୀ ନିଜ ସମ୍ପତ୍ତି ବିଷୟରେ ଭୁଲ୍ ତଥ୍ୟ ଦେବେ ସେମାନେ ଦୋଷୀ ପ୍ରମାଣିତ ହେଲେ ସର୍ବାଧିକ ୬ ମାସ ଜେଲ୍ ଦଣ୍ଡ ବା ଜରିମାନା କିମ୍ବା ଉଭୟ ଜରିମାନା ଓ ଜେଲ୍ ଦଣ୍ଡ ପାଇବାର ନିୟମ ଅଛି । ପୂର୍ବରୁ ମଣିଭୁଷଣ ପ୍ରତାପ ସେଙ୍ଗର ନାମକ ଜଣେ ଓକିଲ ୨୦୧୭ ମସିହାରେ ତେଜ ପ୍ରତାପଙ୍କ ସମ୍ପତ୍ତି ବିଷୟରେ ସିବିଆଇ ଯାଞ୍ଚ ପାଇଁ ଦାବି କରିଥିଲେ ।

ସମ୍ବନ୍ଧିତ ଖବର