ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିବାଦୀୟ ଟିପ୍ପଣୀ: ରାମ ଗୋପାଳ ବର୍ମାଙ୍କ ବିରୋଧରେ ବିଜେପି ନେତାଙ୍କ ଏତଲା

ହାଇଦ୍ରାବାଦ : ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିବାରୁ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହେବ ବୋଲି ହାଇଦ୍ରାବାଦ ପୁଲିସ କହିଛି। ବର୍ମାଙ୍କ ବିରୋଧରେ ତେଲେଙ୍ଗାନାର ବରିଷ୍ଠ ବିଜେପି ନେତା ଜି ନାରାୟଣ ରେଡ୍ଡି ଏତଲା ରୁଜୁ କରିଛନ୍ତି। ଟ୍ବିଟରରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନେଇ ଆପତ୍ତିଜନକ ବୟାନ ପୋଷ୍ଟ୍‌ କରିଥିବା ବର୍ମାଙ୍କ ବିରୋଧରେ ଆମେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ ବୋଲି ରେଡ୍ଡି କହିଛନ୍ତି।

ରାମ ଗୋପାଳ ବର୍ମା ଏକ ଟ୍ବିଟ୍‌ରେ କହିଥିଲେ-‘ଯଦି ଦୌପଦୀ ରାଷ୍ଟ୍ରପତି ତା’ହେଲେ ପାଣ୍ଡବମାନେ କିଏ ? ସବୁଠାରୁ ଗୁରୁତ୍ବପୂର୍ଣ୍ଣ କୌରବମାନେ କିଏ?’ ଜଣେ ମହିଳା ନେତ୍ରୀ ତଥା ପୂର୍ବତନ ରାଜ୍ୟପାଳଙ୍କୁ ନେଇ ଏଭଳି ମନ୍ତବ୍ୟ ଅତ୍ୟନ୍ତ ଅଶୋଭନୀୟ ବୋଲି ତେଲେଙ୍ଗାନା ବିଜେପି ପକ୍ଷରୁ କୁହାଯାଇଛି। ପୁଲିସ ତୁରନ୍ତ ଏସ୍‌ସି/ଏସ୍‌ଟି ଆଇନ ଆଧାରରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ବିଜେପି ଦାବି କରିଛି। ରାମ ଗୋପାଳ ବର୍ମା ମଦ ପିଇ ଏଭଳି ବିକୃତ ଓ ବିବାଦୀୟ ଟ୍ବିଟ୍‌ କରୁଥିବାରୁ ପୁଲିସ ଅପରାଧିକ ମାମଲା ରୁଜୁ କରିବା ଜରୁରୀ ବୋଲି ବିଜେପି ବିଧାୟକ ଟି. ରାଜା ସିଂହ ଦାବି କରିଛନ୍ତି। ବିବାଦ ବଢ଼ିବା ପରେ ବର୍ମା ତାଙ୍କ ସଫେଇରେ କହିଛନ୍ତି ଯେ ମହାଭାରତରେ ଦ୍ରୌପଦୀ ଚରିତ୍ରକୁ ମୁଁ ଅଧିକ ପସନ୍ଦ କରେ ଏବଂ ଏହି ଟ୍ବିଟ୍‌ କୌଣସି ଖରାପ ଉଦ୍ଦେଶ୍ୟରେ କରିନାହିଁ। କାହାର ଭାବାବେଗକୁ ଆଘାତ ଦେବା ମୋର ଉଦ୍ଦେଶ୍ୟ ନଥିଲା ବୋଲି ବର୍ମା କହିଛନ୍ତି।

ସମ୍ବନ୍ଧିତ ଖବର