ଭୁବନେଶ୍ବର : ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ନେଇ ଜିଆରପି ପକ୍ଷରୁ ଏକ ମାମଲା ରୁଜ୍ଜୁ କରାଯାଇଛି । ବାଲେଶ୍ୱର ସରକାରୀ ରେଳବାଇ ପୁଲିସ (ଜିଆରପି) ଷ୍ଟେସନରେ ଅଜଣା ଲୋକଙ୍କ ନାଁରେ ଏହି ମାମଲା ରୁଜୁ ହୋଇଛି। ଭାରତୀୟ ଦଣ୍ଡବିଧି ସଂହିତାର ଧାରା ୩୩୭, ୩୩୮, ୩୦୪ଏ (ଜାମିନ ବିହୀନ) ଏବଂ ୩୪ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । ଏହା ସହିତ ରେଳବାଇ ଆଇନର ଧାରା ୧୫୩, ୧୫୪ ଓ ୧୭୫ ରେ ମାମଲା ରୁଜୁ କରାଯାଇଛି । ଅବହେଳା ଯୋଗୁଁ ଦୁର୍ଘଟଣା ଘଟିଲା ବୋଲି ଏତଲାରେ କୁହାଯାଇଛି । ବାଲେଶ୍ବର ଜିଆରପିଏସର ଏସଆଇ ପାପୁ କୁମାର ନାୟକଙ୍କ ପକ୍ଷରୁ ଏହି ମାମଲା ରୁଜ୍ଜୁ କରାଯାଇଛି ।
ରେଳବୋର୍ଡ ପକ୍ଷରୁ ରବିବାର ଏହି ଦୁର୍ଘଟଣାର ତଦନ୍ତ ଦାୟିତ୍ବ ସିବିଆଇକୁ ଦିଆଯାଇଥିଲା । ଏହା ପରେ ସୋମବାରଦିନ ସିବିଆଇର ଏକ ୧୦ ଜଣିଆ ଟିମ ବାହାନଗାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଡିଆରଏମ ରିଙ୍କେସ ରାୟ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ରେଳ ନିରାପତ୍ତା କମିଶନର ଏକ ତଦନ୍ତକାରୀ ଦଳ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/WhatsApp-Image-2023-06-05-at-22.31.08.jpeg)