ଗଡ଼ସେଙ୍କୁ ମହିମାମଣ୍ଡିତ କରୁଥିବା ନାଟକ ମଞ୍ଚସ୍ଥକୁ ନେଇ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା

ଥାନାରେ ଅଭିଯୋଗ ଆଣିଲେ ଛାତ୍ର ଗୋଷ୍ଠୀ

ନୂଆଦିଲ୍ଲୀ: ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଗାନ୍ଧୀଙ୍କ ହତ୍ୟାକାରୀ ଗଡ଼ସେଙ୍କୁ ମହିମାମଣ୍ଡିତ କରୁଥିବା ନାଟକର ମଞ୍ଚସ୍ଥକୁ ନେଇ ଉତ୍ତେଜନା ଦେଖାଯାଇଛି। ଗତ ସପ୍ତାହରେ ‘କଲ୍ଚରାଲ ଫେଷ୍ଟ’ରେ ଏହି ନାଟକ ମଞ୍ଚସ୍ଥ ହୋଇଥିଲା, ଯାହାର ବିରୋଧରେ କିଛି ଛାତ୍ରମାନେ ଅଭିଯୋଗ ଆଣିଥିଲେ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ କିଛି ଛାତ୍ର ଅଭିଯୋଗ ଆଣିଛନ୍ତି, ମରାଠୀର ବିବାଦୀୟ ନାଟକ ‘ମି ନାଥୁରାମ ଗଡ଼ସେ ବୋଲତୋୟ’ ଉପରେ ଆଧାରିତ ଏହି ନାଟକ ମଞ୍ଚସ୍ଥ ହୋଇଥିଲା। ଏଥିରେ ମହାତ୍ମା ଗାନ୍ଧୀଙ୍କ ଭାବ ମୂର୍ତ୍ତିକୁ ଖରାପ ଢଙ୍ଗରେ ଉପସ୍ଥାପିତ କରାଯାଇଥିଲା। ନାଟକରେ ବିଭାଜନ ପାଇଁ ମହାତ୍ମା ଗାନ୍ଧୀଙ୍କୁ ଦାୟୀ କୁହାଯାଇଥିବା ବେଳେ ତାଙ୍କର ହତ୍ୟା ଯୁକ୍ତିଯୁକ୍ତ ବୋଲି ଦର୍ଶାଯାଇଥିଲା।

ଛାତ୍ରଛାତ୍ରୀମାନେ ଅଭିଯୋଗରେ କହିଥିଲେ, ଦେଶର ସାମ୍ବିଧାନିକ ବ୍ୟବସ୍ଥାକୁ ଆଘାତ ପହଞ୍ଚାଉଥିବା କାର୍ଯ୍ୟକ୍ରମକୁ କେଉଁ ହିସାବରେ ମଞ୍ଜୁରୀ ଦିଆଯାଉଛି। ଏଥିରେ କିଛି ରାଜନୀତି ପ୍ରବେଶ କରିଛି। ଅଦାଲତ ଦ୍ୱାରା ମୃତ୍ୟୁ ଦଣ୍ଡ ପାଇଥିବା ଆତଙ୍କବାଦୀ ଗଡ଼ସେଙ୍କୁ ମହିମାମଣ୍ଡିତ କରି ଦେଶର ଏକତା ଓ ଅଖଣ୍ଡତାକୁ ଆଘାତ ଦିଆଯାଇଛି। ଏହା ଦେଶଦ୍ରୋହ ଠାରୁ କୌଣସି ଗୁଣରେ କମ୍‌ ନୁହେଁ। ଆମେ ଘଟଣାର ଯାଞ୍ଚ ଦାବି କରୁଛୁ।

ବାରାଣସୀର ଲଙ୍କା ଥାନା ଅଧିକାରୀ ସଞ୍ଜୀବ ମିଶ୍ର କହିଛନ୍ତି, ଅଭିଯୋଗ ମିଳିଛି। ସୋସିଆଲ ମିଡିଆରେ ଏହି ନାଟକ ମଞ୍ଚସ୍ଥର ଏକ ଭିଡିଓ କ୍ଲିପ ଭାଇରାଲ ହେବା ପରେ ଅଭିଯୋଗ କରାଯାଇଛି। ସେ କହିଛନ୍ତି ପୁଲିସକୁ ଭିଡିଓ ମିଳି ନାହିଁ। ଭିଡିଓ ମିଳିବା ପରେ ମାମଲାର ତଦନ୍ତ ହେବ।

ସମ୍ବନ୍ଧିତ ଖବର