ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ, ଭୁଶୁଡ଼ି ପଡ଼ିଲା ବ୍ୟାଟେରି ଫ୍ୟାକ୍ଟ୍ରି

ଜଣେ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ, ୧୪ ଆହତ

ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀର ପୀରା ଗଢ଼ୀରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟି ଏକ ବ୍ୟାଟେରି ଫ୍ୟାକ୍ଟ୍ରି ଭୁଶୁଡ଼ି ପଡ଼ିଛି। ବ୍ୟାଟେରି ଫ୍ୟାକ୍ଟ୍ରିରେ ନିଆଁ ଲାଗିଯିବା ପରେ ବିସ୍ଫୋରଣ ଯୋଗୁଁ ୨ ମହଲା ବିଶିଷ୍ଟ ଫ୍ୟାକ୍ଟ୍ରିର ଏକ ବଡ଼ ଅଂଶ ଭୁଶୁଡ଼ି ପଡ଼ିଥିଲା। ଏଥିରେ ଜ‌ଣେ ଅଗ୍ନି ନିର୍ବାପକ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ଏବଂ ଆହୁରି ୧୪ ଜଣ ଆହତ ହୋଇଛନ୍ତି। ଭୋର ୪.୩୦ରେ ନିଆଁ ଲାଗିବା ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ୩୫ଟି ଅଗ୍ନିଶମ ଦଳ ଏବଂ ଏନ୍‌ଡିଆରଏଫ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ସମୁଦାୟ ୧୮ ଜଣଙ୍କୁ ଏହି କୋଠାରୁ ଉଦ୍ଧାର କରାଯାଇଥିଲା। ଭଗ୍ନ କୋଠାତଳେ ଫସି ଥିବା ସମସ୍ତ ଅଗ୍ନି ନିର୍ବାପକ କର୍ମଚାରୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ୧୮ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଅଛି। ଅଗ୍ନିକାଣ୍ଡରେ ଯେଉଁ କର୍ମଚାରୀଙ୍କ ମୃତ୍ୟୁ ହୋଇଛି ତାଙ୍କ ନାମ ଅମିତ ବାଲ୍ୟନ୍‌ (୨୦)। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଅମିତଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଦିଲ୍ଲୀ ଗୃହମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ ମଧ୍ୟ ଉକ୍ତ ସ୍ଥାନକୁ ଯାଇଥି‌ଲେ ଏବଂ ଉକ୍ତ ଘଟଣାର ମାଜିଷ୍ଟେରିଆଲ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପୁଲିସ କହିଛି ଉକ୍ତ ଘଟଣାରେ ଆଇପିସି ଅଧୀନରେ କାର୍ଯ୍ୟାନୁଷ୍ଠାନ ହେବ।

ସମ୍ବନ୍ଧିତ ଖବର