ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ: ୯ ମୃତ

ନୂଆଦିଲ୍ଲୀ: ଦିଲ୍ଲୀର କିରାରି ଅଞ୍ଚଳରେ ଆଜି ଏକ କପଡ଼ା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ହୋଇ ୯ ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ଆହୁରି ୨ ଜଣ ଗୁରୁତର ଆହତ ହୋଇଛନ୍ତି। ରାତି ପ୍ରାୟ ୧୨.୩୦ ସମୟରେ ୪ ମହଲା ବିଶିଷ୍ଟ ଏକ କୋଠା ଘରର ତଳ ମହଲାରେ ନିଆଁ ଲାଗି ଯାଇଥିଲା। ତେବେ ଏହା ଏକ କପଡ଼ା ଗୋଦାମ ଥିବାରୁ ନିଆଁ ଅତି ଦ୍ରୁତ ଗତିରେ ଚାରି ଆଡ଼କୁ ବ୍ୟାପି ଯାଇଥିଲା। ଅଗ୍ନିକାଣ୍ଡର ପ୍ରକୃତ କାରଣ କ’ଣ ଜଣାପଡ଼ିନଥିଲେ ମଧ୍ୟ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇ ନିଆଁ ଲାଗି ଯାଇଥିବା କୁହାଯାଉଛି। ତେବେ ଖବର ପାଇ ସଙ୍ଗେସଙ୍ଗେ ୭ ଅଗ୍ନି ନିର୍ବାପକ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଭୋର ପ୍ରାୟ ୩.୫୦ ସମୟ‌ରେ ନିଆଁକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇଥିଲା। ଅଗ୍ନିକାଣ୍ଡ‌ରେ ପ୍ରାଣ ହରାଇଥିବା ୯ ଜଣ ଯାକ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ଜଣେ ମହିଳାଙ୍କୁ ଚିହ୍ନଟ କରାଯାଇନି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। ଏକ ୬ ମାସର ଶିଶୁ ମଧ୍ୟ ଆଖି ବୁଜିଥିବା କୁହାଯାଉଛି। ଅନ୍ୟପକ୍ଷେ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।

ସମ୍ବନ୍ଧିତ ଖବର