ଅନାଜ ମଣ୍ଡି ଅଗ୍ନିକାଣ୍ଡ: ୪୫ ମୃତ୍ୟୁ ପାଇଁ ଦାୟୀ କିଏ? ପରସ୍ପରକୁ ଦାୟୀ କରୁଛନ୍ତି ବିଜେପି-ଆପ୍‌-କଂଗ୍ରେସ

ନୂଆଦିଲ୍ଲୀ: ଦିଲ୍ଲୀର ଅନାଜ ମଣ୍ଡି ଅଂଚଳରେ ରବିବାର ସକାଳେ ଅଗ୍ନିକାଣ୍ଡ ଯୋଗୁଁ ୪୫ ଜଣଙ୍କ ମୃତ୍ୟୁ ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ତେବେ ରାଜନୈତିକ ଦଳମାନେ ଏହି ମାମଲାରେ କେବଳ ପରସ୍ପର ଉପରେ ଦୋଷ ଲଦିବାରେ ହିଁ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି। କଂଗ୍ରେସ ଏବଂ ବିଜେପି ଏହି ଅଗ୍ନିକାଣ୍ଡ ପାଇଁ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)କୁ ଦାୟୀ କରୁଥିବା ବେଳେ ଆପ୍‌ ଏହି ଘଟଣା ପାଇଁ ନଗର ନିଗମ ଏବଂ ବିଜେପିକୁ ଦାୟୀ କରୁଛି। ଦିଲ୍ଲୀ ନଗର ନିଗମ ଏବେ ବିଜେପି ନିୟନ୍ତ୍ରଣରେ ରହିଛି। ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ ଏବଂ କେନ୍ଦ୍ରୀୟ ସହର ବିକାଶ ମନ୍ତ୍ରୀ ହରଦୀପ ପୁରୀ ଘଟଣାସ୍ଥଳରେ ପହଞ୍ଚି ଦିଲ୍ଲୀର ଆପ୍‌ ସରକାରଙ୍କ ବେପରୁଆ ନୀତି ଏବଂ ସରକାରୀ ସଂସ୍ଥାଗୁଡ଼ିକର ଅପାରଗତାକୁ ଦାୟୀ କରିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ନେତାମାନେ ଘଟଣାସ୍ଥଳରେ ପହଞ୍ଚି ଆପ୍‌ ସରକାର ଏବଂ ବିଜେପି ନେତୃତ୍ବାଧୀନ ନଗର ନିଗମ ଉପରେ ଦୋଷ ଲଦିଛନ୍ତି।

ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ସୁଭାଷ ଚୋପ୍ରା କହିଛନ୍ତି କେଜ୍ରିୱାଲ ସରକାର ଏହି ଘଟଣାପାଇଁ ସଂପୂର୍ଣ୍ଣ ଭାବେ ଦାୟୀ। ନଗର ନିଗମ ମଧ୍ୟ ବିଜେପି ଅଧୀନରେ ଥିବାରୁ ଏହି ଦଳ ମଧ୍ୟ ଅଗ୍ନିକାଣ୍ଡ ପାଇଁ ଦାୟୀ। ଅନ୍ୟପକ୍ଷରେ ଆପ୍‌ ନେତାମାନେ କହିଛନ୍ତି ଯେ ବିଜେପି ଏହି ଘଟଣାକୁ ନେଇ ରାଜନୀତି କରିବା ଆରମ୍ଭ କରିଛି। ଯଦି ଅଗ୍ନିକାଣ୍ଡ ଘଟିଥିବା କାରଖାନା ବେଆଇନ ଥିଲା ତା’ହେଲେ ନିଗମ କ’ଣ କରୁଥିଲା ବୋଲି ଆପ୍‌ ନେତା ସଂଜୟ ସିଂହ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀର ସୁରକ୍ଷା ପ୍ରତି ଆପ୍‌ ସରକାର ତିଳେ ମଧ୍ୟ ଧ୍ୟାନ ଦେଉନଥିବାରୁ ଏବେ ବିଜେପି ଏହା ବିରୋଧରେ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛି।

ସମ୍ବନ୍ଧିତ ଖବର