ନିୟନ୍ତ୍ରଣ ରେଖା ନିକଟରେ ଥିବା ସେନା ବାରାକରେ ରହସ୍ୟମୟ ଅଗ୍ନିକାଣ୍ଡ, ୧୬ଟି ବାରାକ ପୋଡି ପାଉଁଶ

ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ଗତ କାଲି ଅପରାହ୍ନରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ସେନାର ପ୍ରାୟ ୧୬ଟି ବାରାକ ଜଳି ପାଉଁଶ ହୋଇଯାଇଛି । ତେବେ ଏଥିରେ ସେନା ଯବାନଙ୍କର କୌଣସି କ୍ଷତି ହୋଇନାହିଁ । ମିଳିଥିବା ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ଉତ୍ତର କାଶ୍ମୀରର କୁପଓ୍ଵାଡା ଜିଲ୍ଲାର ମଛିଲ ସେକ୍ଟରରେ ଥିବା ୪୫ ରାଷ୍ଟ୍ରୀୟ ରାଇଫଲ୍ସର ବାରାକରେ ହଠାତ ନିଆଲାଗିଲା ଓ ଦେଖୁ ଦେଖି ନିଆଁ ଅନ୍ୟ କ୍ୟାମ୍ପଗୁଡିକୁ ମଧ୍ୟ ଲାଗିଯାଇଥିଲା । ଏସବୁ ବାରାକ ଗୁଡ଼ିକ କାଠରେ ତିଆରି ହୋଇଥିବାରୁ ସବୁକିଛି ପୋଡି ପାଉଁଶ ହୋଇଯାଇଥିଲା । ଶ୍ରୀନଗରରେ ଥିବା ସେନାର ମୁଖପାତ୍ର ରାଜେଶ କାଲିଆ କହିଛନ୍ତି ଯେ ଏହି ଅଗ୍ନିକାଣ୍ଡ ଫଳରେ ସେନାର କିଛି ସଂପତ୍ତି ପୋଡି ପାଉଁଶ ହୋଇଥିଲେ ମଧ୍ୟ କେହି ମୃତାହତ ହୋଇନାହାନ୍ତି । ଏହି ଅଗ୍ନିକାଣ୍ଡର କାରଣ ସଂପର୍କରେ ସେନା ପକ୍ଷରୁ ତଦନ୍ତ କରାଯାଉଛି । ଇଲେକ୍ଟ୍ରିକ ସର୍ଟ ସର୍କିଟ କିମ୍ବା ଷ୍ଟୋଭରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଏହି ଘଟଣାରେ ଆତଙ୍କବାଦୀଙ୍କ ହାତ ଦିଗକୁ ମଧ୍ୟ ଏପର୍ଯ୍ୟନ୍ତ ଅସ୍ୱୀକାର କରାଯାଇ ନାହିଁ ।

ସମ୍ବନ୍ଧିତ ଖବର