ଭୋପାଳ : ହସପିଟାଲର ଶିଶୁ ଓ୍ବାର୍ଡରେ ନିଆଁ, ୪ ଶିଶୁ ମୃତ

ଭୋପାଳ : ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଗତ ରାତିରେ ଏକ ଦୁଃଖଦ ଘଟଣା ଘଟିଛି । ସହରର କମଳା ନେହେରୁ ହସପିଟାଲର ଶିଶୁ ଓ୍ବାର୍ଡରେ ଏକ ଅଗ୍ନିକାଣ୍ଡ ହେବାରୁ ୪ ଜଣ ଶିଶୁ ମୃତ୍ୟୁବରଣ କରିଛନ୍ତି ।

ଏହି ଓ୍ବାର୍ଡରେ ୪୦ ଜଣ ଶିଶୁ ଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ମୃତ୍ୟୁବରଣ କରିଛନ୍ତି ଓ ଅବଶିଷ୍ଟ ୩୬ ଜଣଙ୍କୁ ଉଦ୍ଧାର କରାଯାଇଛି । ମୃତ ଶିଶୁମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି ବୋଲି ରାଜ୍ୟ ଡାକ୍ତରୀ ଶିକ୍ଷାମନ୍ତ୍ରୀ ବିଶ୍ବାସ ସାରଙ୍ଗ କହିଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘଟଣାକୁ ନେଇ ଦୁଃଖ ପ୍ରକଟ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ସ୍ଥାନୀୟ ଫତେଗଡ଼ ଦମକଳ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଜୁବେର ଖାଁ କହିଛନ୍ତି ଯେ ସୋମବାର ରାତି ୯ଟା ବେଳେ ୩ୟ ମହଲାରେ ନିଆଁ ଲାଗିଥିଲା । ଏହି ମହଲାରେ ହିଁ ଆଇସିୟୁ ରହିଛି । ନିଆଁ ଲାଗିବା ଖବର ମିଳିବା ପରେ ଘଟଣାସ୍ଥଳକୁ ୮ରୁ ୧୦ଟି ଅଗ୍ନିଶମ ଗାଡ଼ି ନିଆଁ ଲିଭାଇବାକୁ ପହଞ୍ଚିଥିଲା । ବିଦ୍ୟୁତ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସଂଦେହ କରାଯାଉଛି ବୋଲି ସେ କହିଛନ୍ତି ।

ଅଗ୍ନିକାଣ୍ଡ ଘଟିବା ପରେ ଶିଶୁମାନଙ୍କ ଅଭିଭାବକ ଓ ସ୍ଥାନୀୟ ଲୋକେ ହସପିଟାଲ ପହଞ୍ଚିଥିବାବେଳେ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।

 

ସମ୍ବନ୍ଧିତ ଖବର