ନୂଆଦିଲ୍ଲୀ: ମଙ୍ଗଳବାର ଅପରାହ୍ନରେ ଆଇଟିଓସ୍ଥିତ ଆୟକର କାର୍ଯ୍ୟାଳୟ କୋଠାରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ କର୍ମଚାରୀମାନେ କୋଠା ଭିତରେ ଫସି ଯାଇଥିଲେ। ଏହି ଘଟଣାରେ ଆୟକର ବିଭାଗର ଜଣେ ଅଧୀକ୍ଷକଙ୍କ ମୃତ୍ୟୁ ଘଟିଛି। ଏବେ ନିଆଁ କୁ ଆୟତ୍ତ କରାଯାଇଛି। ଅଗ୍ନିଶମ ବିଭାଗ ଭିତରେ ଫସି ରହିଥିବା ୭ ଜଣଙ୍କୁ ଉଦ୍ଧାର କରିଛି। ଘଟଣାସ୍ଥଳରେ ଜଣେ ୪୬ ବର୍ଷୀୟ ଅଧୀକ୍ଷକଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ସେ କାର୍ଯ୍ୟାଳୟ ଅଧୀକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ଫୋରେନସିକ୍ ଟିମ୍ ଘଟଣାସ୍ଥଳର ଯାଞ୍ଚ କରୁଛନ୍ତି।
ଏହି ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି। ପୁଲିସ ମୁଖ୍ୟାଳୟ ସମ୍ମୁଖରେ ଥିବା ବିଲ୍ଡିଂରେ ଏହି ଘଟଣା ଘଟିଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଘଟଣାର ତଦନ୍ତ ଚାଲିଛି। ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି ଯେ ଅପରାହ୍ନ ୩ଟା ୭ମିନିଟରେ ଆୟକର ସିଆର୍ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଥିଲା। ଘଟଣାସ୍ଥଳକୁ ଆମେ ମୋଟ ୨୧ଟି ଦମକଳ ଗାଡ଼ି ପଠାଇଥିଲୁ। ଅଧିକ ତଦନ୍ତ ଓ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ଆମେ ସ୍ଥାନୀୟ ପୁଲିସକୁ ମଧ୍ୟ ଜଣାଇଛୁ।