ଇଣ୍ଡୋନେସିଆ ତୈଳ ବିଶୋଧନାଗାରରେ ବିସ୍ଫୋରଣ, ପୋଡ଼ିଗଲା ୪ ଲକ୍ଷ ବ୍ୟାରେଲ ତେଲ

୧୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଗଲା

ଜାକାର୍ତ୍ତା : ଇଣ୍ଡୋନେସିଆର ଏକ ବୃହତ ତୈଳ ବିଶୋଧନାଗାରରେ ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିବା ଖବର ହସ୍ତଗତ ହୋଇଛି । ନିଆଁକୁ ଦୃଷ୍ଟିରେ ରଖି ବିଶୋଧନାଗାର କଂପ୍ଲେକ୍ସରେ ରହୁଥିବା ପ୍ରାୟ ୧୦୦୦ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।

ଇଣ୍ଡୋନେସିଆ ଗଣମାଧ୍ୟମ ସୁତ୍ରରୁ ଜଣାପଡ଼ିଛି ଯେ ପଶ୍ଚିମ ଜାଭାରେ ଥିବା ରାଷ୍ଟ୍ରାୟତ୍ତ ବୋଲୋନଗାନ ତୈଳ ବିଶୋଧନାଗାରରେ ସୋମବାର ରାତି ୧୨ଟା ୪୫ ମିନିଟ ସମୟରେ  ଏକ ବଡ଼ ବିସ୍ଫୋରଣ ହେବା ସହ ନିଆଁ ଲାଗିଯାଇଥିଲା । ନିଆଁ ଏତେ ଜୋରରେ ଲାଗିଥିଲା ଯେ ସହରର ଅନେକ ଦୂର ପର୍ଯ୍ୟନ୍ତ ନିଆଁର ଶିଖା ଦେଖାଯାଇଥିଲା । ଏହାସହିତ ସମଗ୍ର ଅଞ୍ଚଳରେ କଳାଧୂଆଁ ଖେଳିଯାଇଥିଲା । ଏହି ଘଟଣାରେ ୫ ଜଣ ଲୋକ ଗୁରୁତର ଆହତ ହୋଇଥିବାବେଳେ ପ୍ରାୟ ୧୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

ଏକ ଅଟକଳ ଅନୁସାରେ ଇଣ୍ଡୋନେସିଆର ରାଷ୍ଟ୍ରାୟତ୍ତ କମ୍ପାନି ପରସେରୋ ଏହି ତୈଳ ବିଶୋଧନାଗାରର ପରିଚାଳନା କରିଥାଏ । ଏହି ନିଆଁ ଲାଗିବା ପରେ ବିଶେଧନାଗାରକୁ ବନ୍ଦ କରିଦିଆଯାଇଛି । ଆବଶ୍ୟକ ମରାମତି ପରେ ଏହି ବିଶୋଧନାଗାରକୁ ଆସନ୍ତା କିଛି ଦିନ ପରେ ଖୋଲିଦିଆଯିବ । ମାତ୍ର ଏକ ଅଟକଳ ଅନୁସାରେ ଏହି ନିଆଁ ଯୋଗୁଁ ପ୍ରାୟ ୪ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ପୋଡ଼ିଯାଇଛି ।

ସମ୍ବନ୍ଧିତ ଖବର