କେରଳ ସଚିବାଳୟରେ ନିଆଁ ! ସୁନା ଚୋରାଚାଲାଣ ସମ୍ପର୍କିତ ତଥ୍ୟପ୍ରମାଣ ନଷ୍ଟ ପାଇଁ ନିଆଁ ଲଗାଯାଇଥିବା ବିରୋଧୀ ଦଳଙ୍କ ଅଭିଯୋଗ

କୋଚି : ଭାରତରେ ଯେତେବେଳେ ସରକାରୀ ସ୍ତରରେ କୌଣସି ଦୁର୍ନୀତି ଧରାପଡ଼େ ଠିକ ସେହି ସମୟରେ ଅଫିସରେ ଏକ ଅଗ୍ନିକାଣ୍ଡ ଘଟେ ଓ ଅନେକ ଜରୁରୀ ଫାଇଲ ପୋଡ଼ି ପାଉଁଶ ହୋଇଯାଏ । ପୂର୍ବରୁ ଅନେକ ଥର ଏପରି ହୋଇଛି ଓ ଆଜି ମଧ୍ୟ ଆଉ ଥରେ ଏପରି ଏକ ଘଟଣା ଘଟିଛି ।
ଦୁବାଇରୁ ସୁନା ଚୋରାଚାଲାଣ ଘଟଣାରେ ଏବେ କେରଳର ରାଜ୍ୟ ସରକାର ଛନ୍ଦି ହୋଇଯାଇଛି । ଏପରିକି ମୁଖ୍ୟମନ୍ତ୍ରୀଙ୍କ ଅଫିସ ଆଡ଼କୁ ମଧ୍ୟ ଅଙ୍ଗୁଳି ଉଠିଛି । ଏହି ଘଟଣାର ତଦନ୍ତ ଏବେ ଏନଆଇଏ କରୁଥିବା ବେଳେ ଆଜି ସଂଧ୍ୟାରେ କେରଳର ସଚିବାଳୟରେ ଏକ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡଟି ସଚିବାଳୟର ସାଉଥ ସାଣ୍ଡଓ୍ଵିଚ ବ୍ଲକରେ ଥିବା ସାଧାରଣ ପ୍ରଶାସନ ବିଭାଗ ରେ ହୋଇଛି । ଏହି ବିଭାଗ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ରହିଛି । ଏହି ଘଟଣାରେ ଅନେକ ଜରୁରୀ ଫାଇଲ ପୋଡ଼ିହୋଇଯାଇଥିବା ଜଣାପଡ଼ିଛି ।

ସୁନା ସ୍ମଗଲିଂ ସମ୍ପର୍କିତ ତଥ୍ୟପ୍ରମାଣ ନଷ୍ଟ କରିବାକୁ ଜାଣିଶୁଣି ଏହି ନିଆଁ ଲଗାଯାଇଥିବା ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ଘଟଣା ବିରୋଧରେ କଂଗ୍ରେସ ଓ ବିଜେପିର ବିଧାୟକମାନେ ଆଜି ସଚିବାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେରଳ ବିଜେପି ସଭାପତି କେ.ସୁରେନ୍ଦ୍ର କହିଛନ୍ତି ଯେ ପୋଡ଼ିଯାଇଥିବା ଫାଇଲ ମଧ୍ୟରେ ରହିଛି ସୁନା ସ୍ମଗଲିଂ ସମ୍ପର୍କିତ ଫାଇଲ । ସେସବୁ ତଥ୍ୟ ଏନଆଇଏ ପକ୍ଷରୁ ମଗାଯାଇଥିଲା ।ତଥ୍ୟପ୍ରମାଣ ନଷ୍ଟ କରିବାକୁ ଜାଣିଶୁଣି ଏହି ନିଆଁ ଲଗାଯାଇଥିବା ସେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର