ମୁମ୍ବାଇ: ଗତରାତିରେ ମୁମ୍ବାଇର ଏକ ମଲ୍ ତୃତୀୟ ମହଲାରେ ଥିବା ଗୋଟାଏ ହସ୍ପିଟାଲ୍ରେ ନିଆଁ ଲାଗିଯିବାରୁ ଅନ୍ୟୂନ ଦୁଇଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଥିଲା। ସମ୍ପ୍ରତି ଅଗ୍ନିକାଣ୍ଡଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୯ରେ ପହଞ୍ଚିଥିବା ଜଣାପଡ଼ିଛି। ଏଭଳି ଅଘଟଣ ବେଳେ ସମ୍ପୃକ୍ତ ଡାକ୍ତରଖାନାରେ କରୋନାଭାଇରସ୍ଦ୍ୱାରା ଆକ୍ରାନ୍ତ ୭୦ରୁ ଅଧିକ ରୋଗୀ ଚିକିତ୍ସାଧୀନ ଥିଲେ।
ପ୍ରାପ୍ତ ସୂଚନା ଅନୁସାରେ, ରାତି ପ୍ରାୟ ୧୨:୩୦ ମିନିଟ୍ ସମୟରେ ମୁମ୍ବାଇର ଭାନ୍ଦୁପସ୍ଥିତ ‘ଡ୍ରିମ୍ସ୍ ମଲ୍ ସନ୍ରାଇଜ୍ ହସ୍ପିଟାଲ୍’ରେ ନିଆଁ ଲାଗିଥିଲା। ୭୦ଜଣ ଚିକିତ୍ସାଧୀନ କୋଭିଡ୍-୧୯ ଆକ୍ରାନ୍ତ ରୋଗୀଙ୍କୁ ତୁରନ୍ତ ସେଠାରୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ, ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା କଥା ସରକାରୀ ଅଧିକାରୀମାନେ କହିଥିଲେ।
/sambad/media/post_attachments/wp-content/uploads/2021/03/mh3.jpg)
ଡାକ୍ତରଖାନା ତରଫରୁ ଏକ ବିବୃତିରେ କୁହାଯାଇଛି, ଭାନ୍ଦୁପସ୍ଥିତ ‘ଡ୍ରିମ୍ସ୍ ମଲ୍’ର ପ୍ରଥମ ମହଲାରେ ନିଆଁ ଲାଗିବାରୁ ସବା ଉପର ମହଲାରେ ଥିବା ହସ୍ପିଟାଲ୍ରେ ଧୂଆଁ ପ୍ରବେଶ କରିଥିଲା। ସମସ୍ତ ‘ଫାୟାର୍ ଆଲାର୍ମ’ ବାଜି ଉଠିବାରୁ ରୋଗୀମାନଙ୍କୁ ନିରାପଦରେ ସ୍ଥାନାନ୍ତର କରାଯାଇ ପାରିଲା।
ନିଆଁ ଲିଭାଇବା ଲାଗି ଘଟଣାସ୍ଥଳକୁ ପ୍ରାୟ ୨୩ଟି ଦମକଳ ପଠାଯାଇଥିଲା। ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଦମକଳ ବାହୀନି ନିଆଁ ଲିଭାଉଥିଲେ। କିନ୍ତୁ, ଅଗ୍ନିକାଣ୍ଡର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ।
/sambad/media/post_attachments/wp-content/uploads/2021/03/mh2.jpg)
ଜଣେ ବରିଷ୍ଠ ଡାକ୍ତରଙ୍କ କହିବା ଅନୁସାରେ, ୭୩ଜଣ କୋଭିଡ୍-୧୯ ରୋଗୀଙ୍କ ମଧ୍ୟରୁ ୩୦ଜଣଙ୍କୁ ‘ମୁଲୁନ୍ଦ ଜମ୍ବୋ ସେଣ୍ଟର୍’କୁ ଏବଂ ୩ଜଣଙ୍କୁ ‘ଫୋର୍ଟିସ୍ ହସ୍ପିଟାଲ୍’କୁ ସ୍ଥାନାନ୍ତର କରାଯାଇଛି।
ମେୟର୍ କିଶୋରୀ ପେଦେନେକର ଗଣମାଧ୍ୟମକୁ କହିଛନ୍ତି, ପ୍ରଥମ ଥର ଲାଗି ମଲ୍ରେ ଗୋଟାଏ ହସ୍ପିଟାଲ୍ ଥିବା କଥା ଦେଖିଲି। ବଡ଼ ସାଙ୍ଘାତିକ ପରିସ୍ଥିତି। ୭ଜଣ ରୋଗୀଙ୍କୁ ଭେଣ୍ଟିଲେଟର୍ରେ ରଖାଯାଇଥିଲା। ୭୦ଜଣ ରୋଗୀଙ୍କୁ ଅନ୍ୟ ଏକ ଡାକ୍ତରଖାନାକୁ ନିଆଯାଇଛି। ଅଗ୍ନିକାଣ୍ଡର କାରଣ ନିର୍ଦ୍ଧାରଣ ଲାଗି ତଦନ୍ତ କରାଯିବ।