ବେଲେମ୍: ବ୍ରାଜିଲର ବେଲେମ୍ରେ ମିଳିତ ଜାତିସଂଘ ସିଓପି୩୦ ଜଳବାୟୁ ଶିଖର ସମ୍ମିଳନୀ ସ୍ଥଳରେ ଅଗ୍ନିକାଣ୍ଡ ଘଟିବାରୁ ଅନ୍ୟୂନ ୨୧ ଜଣ ଆହତ ହୋଇଛନ୍ତି। ହଠାତ୍ ନିଆଁ ଲାଗିବା ପରେ ହଜାର ହଜାର ଲୋକ ଜୀବନବିକଳରେ ଦୌଡ଼ିବାକୁ ଲାଗିଥିଲେ। ଅଗ୍ନିକାଣ୍ଡ ଘଟିବା ସମୟରେ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ନେତୃତ୍ୱରେ ଭାରତୀୟ ପ୍ରତିନିଧି ଦଳ ମଧ୍ୟ ବ୍ଲୁ ଜୋନ୍ ଭିତରେ ଉପସ୍ଥିତ ଥିଲେ। ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି ଯେ, ସେ ଓ ଅନ୍ୟ ଅଧିକାରୀମାନେ ନିରାପଦରେ ଘଟଣାସ୍ଥଳରୁ ବାହାରି ଯାଇଥିଲେ।
ଗତକାଲି (ସ୍ଥାନୀୟ ସମୟ) ଅପରାହ୍ଣ ପ୍ରାୟ ୨ଟା ସମୟରେ ‘ବ୍ଲୁ ଜୋନ୍’ରେ ଏହି ଅଗ୍ନିକାଣ୍ଡ ଘଟିଥିଲା, ଯେଉଁଠାରେ ମୁଖ୍ୟ ପୂର୍ଣ୍ଣାଙ୍ଗ ହଲ୍ ସମେତ ସମସ୍ତ ବୈଠକ, ଆଲୋଚନା, ଦେଶ ମଣ୍ଡପ, ମିଡିଆ ସେଣ୍ଟର ଓ ସମସ୍ତ ଉଚ୍ଚସ୍ତରୀୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ କାର୍ଯ୍ୟାଳୟ ରହିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶିଖର ସମ୍ମିଳନୀର ଆୟୋଜନ କରୁଥିବା ଜାତିସଂଘ ସିଓପି୩୦ ପ୍ରେସିଡେନ୍ସି ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ମିଳିତ ଜାତିସଂଘ ଫ୍ରେମ୍ୱାର୍କ କନଭେନସନ୍ (ୟୁଏନ୍ଏଫ୍ସିସିସି) ଏହି ଘଟଣା ଉପରେ ଏକ ମିଳିତ ବିବୃତି ଜାରି କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ, ଅଧିକ ଧୂଆଁ ପ୍ରଶ୍ୱାସରେ ନେଇଥିବାରୁ ତେର ଜଣ ବ୍ୟକ୍ତିଙ୍କୁ ଘଟଣାସ୍ଥଳରେ ଚିକିତ୍ସା କରାଯାଇଥିଲା। ସେମାନଙ୍କ ଅବସ୍ଥା ଉପରେ ନଜର ରଖାଯାଇଛି ଏବଂ ଉପଯୁକ୍ତ ଚିକିତ୍ସା ସହାୟତା ଯୋଗାଇ ଦିଆଯାଉଛି ବୋଲି ୟୁଏନ୍ଏଫ୍ସିସିସି କହିଛି। ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ଏବଂ ମିଳିତ ଜାତିସଂଘର ସୁରକ୍ଷା ଓ ନିରାପତ୍ତା ବିଭାଗ (ୟୁଏନ୍ଡିଏସ୍ଏସ୍) ତୁରନ୍ତ ତାଙ୍କୁ ସ୍ଥାନାନ୍ତର କରିଥିଲା। ଏହି ଅଗ୍ନିକାଣ୍ଡ ପରେ ଶିଖର ସମ୍ମିଳନୀ ଠିକ୍ ସମୟରେ ଶେଷ ହେବ କି ନାହିଁ ତାହା ବର୍ତ୍ତମାନ ପାଇଁ ଚିନ୍ତାର ବିଷୟ, କାରଣ ଅଗ୍ନିକାଣ୍ଡ ପରେ ଦିନର ଅବଶିଷ୍ଟ କାର୍ଯ୍ୟ ବାତିଲ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/22/untitled-18-2025-11-22-06-03-30.jpg)