କୋଲକାତାର ରେଳ ସୌଧରେ ଲାଗିଲା ନିଆଁ, ଲିଭାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଲା ଅଗ୍ନିଶମ ବାହିନୀର ୧୦ଟି ଗାଡ଼ି
କୋଲକାତା: କୋଲକାତାରେ ଥିବା ରେଲୱେ କାର୍ଯ୍ୟାଳୟରେ ନିଆଁ। ହଠାତ୍ ରେଲୱେ କାର୍ଯ୍ୟାଳୟରେ ଥିବା ୧୩ତମ ମହଲାରେ ନିଆଁ ଲାଗିବା ପରେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଛି ଅଗ୍ନିଶମ ବାହିନୀ। ବର୍ତ୍ତମାନ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଚାଲିଛି। କର୍ତ୍ତୃପକ୍ଷଙ୍କ ପ୍ରାରମ୍ଭିକ ବିବୃତ୍ତିରୁ ଜଣାପଡିଛି ଯେ, ଏପର୍ଯ୍ୟନ୍ତ କେହି ମୃତାହତ ହୋଇନାହାନ୍ତି। କୋଲକାତାର ଷ୍ଟ୍ରାଣ୍ଡ ରୋଡରେ ଥିବା ନୂଆ କୋଇଲାଘାଟ କୋଠାରେ ଏହି ନିଆଁ ଲାଗିଛି।
ଆଜି ସନ୍ଧ୍ୟା ୬ଟା ୧୦ରେ ଅଗ୍ନିକାଣ୍ଡ ସମ୍ପର୍କରେ କୋଲକାତା ପୁଲିସକୁ ପ୍ରଥମେ ସୂଚନା ଦିଆଯାଇଥିଲା। ପୁଲିସକୁ ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀର ୧୦ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କାର୍ଯ୍ୟ ଜାରି ରଖିଛନ୍ତି ବୋଲି ଅଗ୍ନିଶମ ବିଭାଗର ଅଧିକାରୀ କହିଛନ୍ତି। ଏଭଳି ହଠାତ ନିଆଁ ଲାଗିବା ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ।
ପୂର୍ବାଞ୍ଚଳ ରେଳ ମୁଖପାତ୍ର କମଲ ଦେଓ ନିଶ୍ଚିତ କରିଛନ୍ତି ଯେ, କୋଲକାତାର ଷ୍ଟ୍ରାଣ୍ଡ ରୋଡରେ ଥିବା ନୂତନ କୋଇଲାଘାଟ ବିଲ୍ଡିଂରେ ପୂର୍ବ ରେଳବାଇ ଏବଂ ଦକ୍ଷିଣ ପୂର୍ବ ରେଳର କାର୍ଯ୍ୟାଳୟ ରହିଛି। ଏହାର ତଳ ମହଲାରେ ଏକ ଟିକେଟ୍ ବୁକିଂ ସେଣ୍ଟର ମଧ୍ୟ ଅଛି। ତେବେ ନିଆଁ ଲାଗିବା ଫଳରେ କେତେ କ୍ଷୟକ୍ଷତି ଘଟିଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।