ଅକ୍କୀରେଡ୍ଡୀଗୁଡ଼େମ୍: ବୁଧବାର ବିଳମ୍ବିତ ରାତ୍ରରେ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ ଅକ୍କୀରେଡ୍ଡୀଗୁଡ଼େମ୍ରେ ଥିବା ‘ପୋରୁସ୍ ଲ୍ୟାବ୍ ସ୍ ଲିମିଟେଡ୍’ ନାମକ ଗୋଟାଏ ‘କେମିକାଲ୍ ଲ୍ୟାବ୍’ରେ (ରାସାୟନିକ କାରଖାନା) ବିସ୍ଫୋରଣ ଘଟି ନିଆଁ ଲାଗିଯିବାରୁ ଅନ୍ୟୂନ ୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହି ଅଗ୍ନିକାଣ୍ଡରେ ଆହୁରି ୧୧ଜଣ ବ୍ୟକ୍ତି ମଧ୍ୟ ସାଙ୍ଘାତିକ ଆହତ ହୋଇଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ଶ୍ରମଜୀବୀମାନେ ଉକ୍ତ ‘କେମିକାଲ୍ ଲ୍ୟାବ୍’ରେ ‘ନାଇଟ୍ ସିଫ୍ଟ’ (ରାତି ଡିୟୁଟି) କରୁଥିବା ବେଳେ ବିଳମ୍ବିତ ରାତ୍ରୀରେ ବିସ୍ଫୋରଣ ପରେ ପରେ ଅଗ୍ନିକାଣ୍ଡ ଘଟିଥିଲା। ରାତି ପ୍ରାୟ ୧୦ଟା ବେଳେ କାରଖାନାର ୪ ନମ୍ବର ୟୁନିଟ୍ରେ ବିସ୍ଫୋରଣ ଘଟିଥିଲା। ଏହି ସମୟରେ କାରଖାନାରେ ପ୍ରାୟ ୧୫୦ଜଣ ଶ୍ରମଜୀବୀ କାର୍ଯ୍ୟରତ ଥିଲେ। ବିସ୍ଫୋରଣ ଯୋଗୁଁ ଘଟଣାସ୍ଥଳରେ ୫ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଶ୍ରମିକଙ୍କୁ ଡାକ୍ତରଖାନା ନିଆଯାଉଥିବା ବେଳେ ବାଟରେ ସେ ପ୍ରାଣ ହରାଇଥିଲେ।
Image Courtesy of News14ଖବର ପାଇବା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ପୁଲିସ ଓ ଆଞ୍ଚଳିକ ପ୍ରଶାସନ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଚିକିତ୍ସା ନିମନ୍ତେ ଆହତ ବ୍ୟକ୍ତିମାନଙ୍କୁ ନିକଟରେ ଥିବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅତି ଗୁରୁତର ସ୍ବାସ୍ଥ୍ୟାବସ୍ଥା ଥିବା କେତେଜଣଙ୍କୁ ଉନ୍ନତ ଚିକିତ୍ସା ନିମନ୍ତେ ବିଜୟୱାଡ଼ା ‘ରେଫର୍’ କରାଯାଇଛି।
ଏହି ଅଘଟଣରେ ଜୀବନ ହରାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ବିହାର ରାଜ୍ୟର ବାସିନ୍ଦା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/fire-1.jpg)