ଅରୁଣାଚଳ ପ୍ରଦେଶରେ ଭୟାବହ ଅଗ୍ନିକାଣ୍ଡ, ୭୦୦ ଦୋକାନ ଜଳିପୋଡ଼ି ପାଉଁଶ

ଇଟାନଗର: ଆଜି ସକାଳେ ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗର ନିକଟସ୍ଥ ନହରାଲାଗୁନ ଦୈନିକ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ୭୦୦ ଦୋକାନରେ ନିଆଁ ଲାଗିଥିବାବେଳେ ସକାଳ ପ୍ରାୟ ୪ଟା ବେଳେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ମିଳିଥିବା ପୁଲିସ ଅଧିକାରୀ କହିଛନ୍ତି। ମିଳିଥିବା ସୂଚନା ମୁତାବକ ଏହା ରାଜ୍ୟର ସର୍ବ ପୁରାତନ ବଜାର ହୋଇଥିବାବେଳେ ଇଟାନଗରଠାରୁ ପ୍ରାୟ ୧୪ କିଲୋମିଟର ଦୂରରେ ଅବସ୍ଥିତ | ପୁଲିସ କହିଛି ଯେ ଦୀପାବଳି ପାଇଁ ଫୁଟାଯାଇଥିବା ବାଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି ଯେ ଦୋକାନଗୁଡ଼ିକ ବାଉଁଶ ଓ କାଠରେ ତିଆରି ହୋଇ ଶୁଖିଲା ଦ୍ରବ୍ୟରେ ଭର୍ତି ହୋଇଥିବାରୁ ନିଆଁ ଶୀଘ୍ର ବ୍ୟାପିଯାଇଥିଲା। ତେବେ ଏହି ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କା କ୍ଷତି ହୋଇଥିବାର ଆଶଙ୍କା କରାଯାଉଛି। ଦୋକାନୀମାନେ ଅଭିଯୋଗ କରିଛନ୍ତି ଯେ ଯେତେବେଳେ ସେମାନେ ନିଆଁ ବିଷୟରେ ସୂଚନା ପାଇଲେ ସେମାନେ ନିକଟସ୍ଥ ଅଗ୍ନିଶମ କେନ୍ଦ୍ରରେ ପହଞ୍ଚିଥିଲେ ମଧ୍ୟ ସେଠାରେ କୌଣସି କର୍ମଚାରୀ ଉପସ୍ଥିତ ନଥିଲେ।

ଏହା ସହ ଅଗ୍ନିଶମ କର୍ମଚାରୀ ପହଞ୍ଚିବା ପରେ ନିଆଁ ଲିଭାଇବା ପାଇଁ ଗାଡିରେ ପାଣି ନଥିଲା। ଦୋକାନୀମାନେ ଅଭିଯୋଗ କରିଛନ୍ତି ଯେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପାଣି ଭରିବା ପାଇଁ ବହୁ ଦୂରକୁ ଯିବାକୁ ପଡିଥିଲା ଏବଂ ସକାଳ ୫ଟାରେ ସେମାନେ ପହଞ୍ଚିବାବେଳକୁ ବଜାରର ଅଧିକାଂଶ ଦୋକାନ ନିଆଁରେ ଜଳି ପାଉଁଶ ହୋଇଯାଇଥିଲା।

ସମ୍ବନ୍ଧିତ ଖବର