ଆସାମର ବାଗଜାନ ତୈଳ କୂପରେ ନିଆଁ, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଗଲା

ଗୁଆହାଟୀ : ଆସାମର ତିନସୁକିଆ ଜିଲ୍ଲାରେ ଥିବା ବାଗଜାନ ତୈଳ କୂପରେ ନିଆଁ ଲାଗିଯାଇଛି । ରାଷ୍ଟ୍ରାୟତ୍ତ କମ୍ପାନି ଅଏଲ ଇଣ୍ଡିଆ ଦ୍ୱାରା ପରିଚାଳିତ ଏହି ତୈଳକୂପଟି ଗତ ମେ ୨୭ରେ ସାମାନ୍ୟ କ୍ଷତିଗ୍ରସ୍ତ ହେବାପରେ ସେଥିରୁ ତୈଳ ଓ ଗ୍ୟାସ ନିର୍ଗତ ହୋଇଚାଲିଥିଲା । ପ୍ରାୟ ଦୁଇ ସପ୍ତାହ ଧରି ତୈଳ ନିର୍ଗତ ହେବା ପରେ ଆଜି ସେଥିରେ ନିଆଁ ଲାଗିଯାଇଛି । ତେବେ ଏହି ଘଟଣାରେ କୌଣସି ଲୋକ ମୃତାହତ ହେବାର ଖବର ମିଳିନାହିଁ ।

ତୈଳକୂପରେ ଲାଗିଥିବା ନିଆଁ ଏତେ ତୀବ୍ର ଥିଲା ଯେ ପ୍ରାୟ ୨-୩ କିଲୋମିଟର ଦୂରରୁ ନିଆଁର ଶିଖା ଦେଖାଯାଉଛି ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି । ନିଆଁ ଲାଗିବା ପରେ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ ମେ ୨୭ରେ ତୈଳକୂପର ପ୍ରେସର କଣ୍ଟ୍ରୋଲ ସିଷ୍ଟମ ବିଫଳ ହେବାରୁ ଏଥିରୁ ତୈଳ ନିର୍ଗତ ହେବା ଆରମ୍ଭ କରିଥିଲା । ଏହି ତୈଳକୂପରେ ହୋଇଥିବା ଛିଦ୍ରକୁ ମରାମତି କରିବାକୁ ଅଏଲ ଇଣ୍ଡିଆ ପକ୍ଷରୁ ସିଂଗାପୁରର ଏକ କମ୍ପାନି ଆଲର୍ଟ ଡିଜାଷ୍ଟର କଣ୍ଟ୍ରୋଲକୁ ଦାୟିତ୍ୱ ଅର୍ପଣ କରିଛି । ସିଂଗାପୁର କମ୍ପାନିର ବିଶେଷଜ୍ଞ ଟିମ ଗତ ସୋମବାରଦିନ ଆସାମର ଦୁଲିଆଜାନ ଟାଉନରେ ପହଞ୍ଚିଛନ୍ତି ।
ପ୍ରଶାସନ ପକ୍ଷରୁ ଘଟଣାର ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଆହୁରି ମଧ୍ୟ ଅଏଲ ଇଣ୍ଡିଆ ପକ୍ଷରୁ ଏହି ତୈଳ ନିର୍ଗତ ଓ ନିଆଁ ଯୋଗୁଁ ହୋଇଥିବା ପରିବେଶ ପ୍ରଦୂଷଣର ଆକଳନ ପାଇଁ ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି ।

ସମ୍ବନ୍ଧିତ ଖବର