ଦଙ୍ଗାରେ ଯବାନଙ୍କ ଘର ଛାରଖାର, ନିର୍ମାଣ ପାଇଁ ପହଞ୍ଚିଲେ ବିଏସ୍‌ଏଫ୍‌ ଟିମ୍‌

ନୂଆଦିଲ୍ଲୀ: ଦିଲୀ ଦଙ୍ଗା ସମୟରେ ଦଙ୍ଗାକାରୀମାନେ ଜଣେ ବିଏସଏଫ୍‌ ଯବାନଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ବିଏସଏଫ୍‌ ଯବାନ ମହମ୍ମଦ ଅନିସ ଏବେ ଭୁବ‌ନେଶ୍ବରରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ବିବାହ ମଧ୍ୟ ଠିକ୍‌ ହୋଇ ସାରିଥିଲା। କିନ୍ତୁ ଫେବ୍ରୁଆରି ୨୫ ତାରିଖରେ ଦଙ୍ଗାକାରୀ ଯବାନ ମହମ୍ମଦ ଅନିଙ୍କର ଖଜୁରି ଖାସ୍‌ ସ୍ଥିତ ବାସଭବନରେ ନିଆଁ ଲଗାଇ ଦେଇଥିଲେ। ବିଏସଏଫ୍‌ ଯବାନ ଏ ସମ୍ପର୍କରେ କାହାକୁ କିଛି ଅବଗତ କରିନଥିଲେ ମଧ୍ୟ ଖବର ପାଇ ବିଏସଏଫ୍‌ ଟିମ୍‌ ଏବେ ତାଙ୍କ ଘରେ ପହଞ୍ଚିଛନ୍ତି ଏବଂ ସହଯୋଗର ହାତ ବଢ଼ାଇଛନ୍ତି। ବିଏସଏଫ୍‌ ଡିଆଇଜି ପୁଷ୍ପେନ୍ଦ୍ର ରା‌ଠୋର କହିଛନ୍ତି, ବିଏସଏଫ୍‌ ଇଞ୍ଜିନିୟରମାନେ ସେମାନଙ୍କ ସହ ଅଛନ୍ତି। ସେମାନେ ମହମ୍ମଦ ଅନିସଙ୍କ ଘର ମରାମତି କରିବେ । ବିଏସଏଫ୍‌ ପକ୍ଷରୁ ଏହାର ଜନମଙ୍ଗଳ ପାଣ୍ଠିରୁ ଉକ୍ତ ଯବାନଙ୍କ ପରିବାର ସଦସ୍ୟଙ୍କୁ ଆର୍ଥିକ ସହାୟତା ଦିଆଯିବ। ବିଏସଏଫ୍‌ ପକ୍ଷରୁ ଏହା ଅନିସ ମହମ୍ମଦଙ୍କ ପାଇଁ ବିବାହ ଉପହାର ବୋଲି କୁହାଯାଇଛି। ଅନିସଙ୍କ ବାପା ମହମ୍ମଦ ୟୁସୁଫ୍‌ କହିଛନ୍ତି, ଦଙ୍ଗାରେ ଘର ଜଳିଯିବାରୁ ଅନିସଙ୍କ ବିବାହ ଘୁଞ୍ଚାଯାଇଛି।

ସମ୍ବନ୍ଧିତ ଖବର