ଚୀନରେ କଠୋର ଲକଡାଉନ୍, ନିଆଁ ଲାଗିଥିବା ଆପାର୍ଟମେଣ୍ଟରୁ ବି ଲୋକଙ୍କୁ ଛାଡ଼ିଲେନି, ୧୦ ମୃତ

ବେଜିଂ : ଚୀନରେ କଠୋର କୋଭିଡ କଟକଣାକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଲୋକମାନେ ଧୀରେ ଧୀରେ ରାସ୍ତାକୁ ଓହ୍ଲାଇ ହିଂସାକାଣ୍ଡ ଓ ବିକ୍ଷୋଭ କରିବା ଆରମ୍ଭ କରିଛନ୍ତି ।

ଦୁଇ ଦିନ ପୂର୍ବେ ସିଜିଆନ ପ୍ରଦେଶରେ ଥିବା ଏକ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହେବା ପରେ ଶନିବାର ଦିନ ଲୋକମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଲୋକମାନଙ୍କ ଅଭିଯୋଗ ଅନୁସାରେ ଆପାର୍ଟମେଣ୍ଟରେ ନିଆଁ ଲାଗିବା ସତ୍ତ୍ବେ ସେଠାରେ ରହୁଥିବା ଲୋକମାନଙ୍କୁ ଘର ଛାଡ଼ିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲା । ଏହା ଫଳରେ ୧୦ ଜଣ ଲୋକ ମୃତ୍ୟୁବରଣ କରିଥିଲେ ଓ ୯ ଜଣ ଆହତ ହୋଇଥିଲେ ।

ମାସ ମାସ ଧରି ଲକଡାଉନରେ ରହିବା ପରେ ଚୀନର ଲୋକମାନଙ୍କ ମଧ୍ୟରେ ଅସନ୍ତୋଷର ବହ୍ନି ଜଳିବାରେ ଲାଗିଛି । ଚୀନର କଠୋର ଆଇନ ଓ ନିର୍ଦ୍ଦୟ ସୁରକ୍ଷାବାହିନୀ ସତ୍ତ୍ବେ ଲୋକମାନେ ରାସ୍ତାକୁ ଓହ୍ଲାଇଆସୁଛନ୍ତି ଓ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଏପରିକି ଲୋକମାନେ ସୋସିଆଲ ମିଡିଆରେ ବି ନିଜର ଅସନ୍ତୋଷ ପ୍ରକାଶ କରୁଛନ୍ତି ।

କିଛି ଦିନ ପୂର୍ବେ ଝାଙ୍ଗଝୁଠାରେ ଥିବା ଆପଲ କମ୍ପାନି ପାଇଁ ଆଇଫୋନ ତିଆରି କରୁଥିବା ଫକ୍ସକନ କାରଖାନାରେ କଠୋର କୋଭିଡ କଟକଣା ଯୋଗୁଁ ଶ୍ରମିକ ଅଶାନ୍ତି ଦେଖାଦେଇଥିଲା । ପରେ ତାହା ହିଂସାତ୍ମକ ରୂପ ନେଇଥିଲା ।

 

ସମ୍ବନ୍ଧିତ ଖବର