ନୂଆଦିଲ୍ଲୀ: ଦିଲ୍ଲୀର ବିବେକ ବିହାର ସ୍ଥିତ ଏକ ଶିଶୁ ଚିକିତ୍ସାଳୟରେ ଗତରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୭ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି। ୫ ଜଣଙ୍କୁ ଉଦ୍ଧାର କରିବାରେ ଅଗ୍ନିଶମ ବାହିନୀ ସକ୍ଷମ ହୋଇଥିବା ବେଳେ ୭ ଜଣ ଶିଶୁ ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଥିବା ଜଣାପଡ଼ିଛି। ଦୁଇ ମହଲା ବିଶିଷ୍ଟ ଏହି କୋଠାର ପ୍ରଥମ ମହଲାରେ ନବଜାତ ଶିଶୁ ଯତ୍ନ କେନ୍ଦ୍ର ଥିଲା। ସମୁଦାୟ ୧୨ ଜଣ ପିଲାଙ୍କୁ ଭର୍ତ୍ତି କରାଯାଇଥିଲା। ଦିଲ୍ଲୀ ଅଗ୍ନିଶମ ସେବା ମୁଖ୍ୟ ଅତୁଲ ଗର୍ଗ କହିଛନ୍ତି ଯେ ହସ୍ପିଟାଲ ସଂଲଗ୍ନ ଏକ ବିଦ୍ୟୁତ ଖୁଣ୍ଟ ଜଳିଯିବା ପରେ ଏହାର ନିଆଁ ପଡ଼ି ଅକ୍ସିଜେନ୍ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା ଏବଂ ସମଗ୍ର ହସ୍ପିଟାଲ ନିଆଁ ଘେରକୁ ଚାଲିଆସିଥିଲା। ତଳ ମହଲାରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ପରେ ତତ୍କ୍ଷଣାତ ପ୍ରଥମ ମହଲାକୁ ନିଆଁ ବ୍ୟାପିଯିବାରୁ ସ୍ଥିତି ଅଣାୟତ୍ତ ହୋଇଥିଲା ଏବଂ ଏହା ଆଖପାଖ କୋଠାକୁ ମଧ୍ୟ ବ୍ୟାପିଥିଲା।
ଶିଶୁ ଚିକିତ୍ସାଳୟର ମାଲିକ ନବୀନ କିଚିଙ୍କ ବିରୋଧରେ ଦିଲ୍ଲୀ ପୁଲିସ ବିଭିନ୍ନ ଧାରାରେ ଏଫ୍ଆଇଆର୍ ରୁଜୁ କରିଛି। ଆଜି ଅପରାହ୍ନରେ ତାଙ୍କୁ ଠାବ କରି ପୁଲିସ ଅଟକ ରଖିଛି।
ଅଗ୍ନିଶମ ବିଭାଗ ଅଧିକାରୀ କହିଛନ୍ତି ଯେ ରାତି ୩ଟା ସୁଦ୍ଧା ନିଆଁକୁ ସଂପୂର୍ଣ୍ଣ ଆୟତ୍ତ କରାଯାଇଥିଲା। ଘଟଣାସ୍ଥଳରେ ମୋଟ ୧୬ଟି ଦମକଳ ବାହିନୀ ପହଞ୍ଚିଥିଲେ। ରାତି ୧୨ଟାରେ ନିଆଁ ଉପର ମହଲା ଓ ଆଖପାଖ ଦୁଇଟି କୋଠାକୁ ବ୍ୟାପିଯାଇଥିଲା। ବେବି କେୟାର ସେଣ୍ଟରରେ ଉପରକୁ ଯିବା ପାଇଁ ବାହାରୁ ଯେଉଁ ସିଡ଼ି ରହିଛି ସେଥିରେ ମଧ୍ୟ ନିଆଁ ଲାଗିଯାଇଥିଲା। ଶ୍ବାସରୁଦ୍ଧ ଅବସ୍ଥାରେ ୭ ଶିଶୁଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି ଏବଂ ଶବ ବ୍ୟବଚ୍ଛେଦ ପାଇଁ ଜିଟିବି ହସ୍ପିଟାଲକୁ ପଠାଯାଇଛି। ଉଦ୍ଧାର ହୋଇଥିବା ୫ ଜଣ ଶିଶୁଙ୍କୁ ଏନ୍ଆଇସିୟୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଡାକ୍ତରଖାନାର ଉଭୟ ପାର୍ଶ୍ୱରେ ଥିବା ଦୁଇଟି ଆବାସିକ କୋଠାରୁ ପ୍ରାୟ ୧୫ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ବେବି କେୟାର ସେଣ୍ଟର ନିକଟରେ ଆମ୍ବୁଲାନ୍ସରେ ଅକ୍ସିଜେନ୍ ଗ୍ୟାସ୍ ଭର୍ତ୍ତି କରାଯାଉଥିବା ସମୟରେ ବିସ୍ଫୋରଣ ହୋଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/sfhsfhfshffhs.jpg)