ଅହମଦନଗର : ମହାରାଷ୍ଟ୍ରର ଅହମଦନଗର ସିଭିଲ ହସ୍ପିଟାଲ୍ କୋଭିଡ୍ ଆଇସିୟୁରେ ଶନିବାର ଦିନ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିବାରୁ ୧୧ ଜଣ ରୋଗୀ ପ୍ରାଣ ହରାଇଥିବା ବେଳେ ଅନ୍ୟ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଅନ୍ୟ ହସପିଟାଲରେ ଭର୍ତି କରାଯାଇଛି। ଏହି ଆସିୟୁରେ ୨୦ ଜଣ ଚିକିତ୍ସିତ ହେଉଥିଲେ। ସେମାନଙ୍କ ମଧ୍ୟରୁ ୧୫ ଜଣ ରୋଗୀଙ୍କ ବୟସ ୬୫ରୁ ୮୨ ବର୍ଷ ହେବ ବୋଲି କୁହାଯାଉଛି। ସେମାନେ ଭେଣ୍ଟିଲେଟର/ଅକ୍ସିଜେନରେ ରହି ଚିକିତ୍ସିତ ହେଉଥିଲେ।
ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଉପ ମହାନିର୍ଦ୍ଦେଶକ ପିବି ଗଣ୍ଡଲ କହିଛନ୍ତି, ୯ ଆହତ ରୋଗୀଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଅଛି। ଅନ୍ୟମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଉକ୍ତ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ଏବଂ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉକ୍ତ ଘଟଣାରେ ଶୋକ ବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି। ଆହତମାନେ ଯେଭଳି ତୁରନ୍ତ ଆରୋଗ୍ୟ ଲାଭ କରିବେ ଏବଂ ସେମାନଙ୍କୁ ଉଚିତ୍ ଚିକିତ୍ସା ମିଳିବ ସେ ଦିଗରେ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ ଠାକ୍ରେ ମୃତକମାନଙ୍କ ପରିବାର ସଦସ୍ୟଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି।
ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା କୁହାଯାଉଛି। ନିଆଁରେ ଆଇସିୟୁ ସଂପୂର୍ଣ୍ଣ ରୂପେ ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିନିର୍ବାପକ ଦଳ ତୁରନ୍ତ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ଘଟଣାସ୍ଥଳରେ ହିଁ ୧୦ ଜଣଙ୍କ ଜୀବନ ଚାଲିଯାଇଥିଲା ।
ସୂଚନାଯୋଗ୍ୟ ଯେ ଗତ ଏପ୍ରିଲ ମାସରେ ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଏକ ମେଡିକାଲରେ ନିଆଁ ଲାଗିଥିଲା ଏବଂ ଏଥିରେ ୧୫ ଜଣ କୋଭିଡ୍ ରୋଗୀ ପ୍ରାଣ ହରାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/fire-in-icu.jpg)