ଜବଲପୁର ଡାକ୍ତରଖାନାରେ ନିଆଁ, ୧୦ ମୃତ

ଜବଲପୁର : ମଧ୍ୟପ୍ରଦେଶର ଜବଲପୁରଠାରେ ଥିବା ଏକ ଘରୋଇ ହସପିଟାଲରେ ନିଆଁ ଲାଗିବାରୁ ଅତି କମରେ ୧୦ ଜଣ ଲୋକ ପ୍ରାଣ ହରାଇଛନ୍ତି । ଆହୁରି କିଛି ଲୋକ ଆହତ ଥିବା ଜଣାଯାଇଛି ।

ମିଳିଥିବା ସୂଚନା ଅନୁସାରେ ସୋମବାର ଅପରାହ୍ଣରେ ଜବଲପୁର ଜିଲ୍ଲାର ଗୋହାଲପୁର ଥାନା ଅଂଚଳରେ ଆସୁଥିବା ନ୍ୟୁଲାଇଫ୍ ମଲଟିସ୍ପେଶିଆଲିଟି ହସପିଟାଲରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ସମଗ୍ର ହସପିଟାଲକୁ ବ୍ୟାପିଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ଏହି ଅଗ୍ନିକାଣ୍ଡ ରେ ଏପର୍ଯ୍ୟନ୍ତ ୧୦ ଜଣ ଲୋକ ମୃତ୍ୟୁବରଣ କରିଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସେହିପରି ଆଉ କିଛି ଲୋକ ଗୁରୁତର ଆହତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଯାଉଛି ଓ ଲୋକମାନଙ୍କୁ ଉଦ୍ଧାର କରାଯାଉଛି । ହସପିଟାଲରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଉଦ୍ଧାର କରି ଅନ୍ୟ ଡାକ୍ତରଖାନାକୁ ନିଆଯାଇଛି ।

ଜବଲପୁର ପୁଲିସ ଅଧୀକ୍ଷକ (ଏସପି) ସିଦ୍ଧାର୍ଥ ବହୁଗୁଣା କହିଛନ୍ତି ଯେ ନିଆଁ ଲାଗିବା ପରେ ହସପିଟାଲ ମଧ୍ୟରେ ହିଁ ୪ ଜଣ ଲୋକ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବରଣ କରିଥିବା ଅନ୍ୟ ଲୋକମାନେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ମୃତକମାନଙ୍କୁ ଚିହ୍ନଟ କରାଯାଉଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ ହସପିଟାଲରେ ଗୋଟିଏ ମାତ୍ର ପ୍ରବେଶ ଦ୍ବାର ଥିବାରୁ ନିଆଁ ଲାଗିବା ପରେ ଲୋକମାନେ ବାହାରି ପାରିନଥିଲେ । ଏପରିକି ଏହି କାରଣରୁ ଦମକଳ ବାହିନୀକୁ ମଧ୍ୟ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡ଼ିଥିଲା । ପରେ ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ ସଂଯୋଗ କଟାଯିବା ପରେ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲା ।

ସମ୍ବନ୍ଧିତ ଖବର