କୁଏତ୍‌ରେ ନିଆଁ, ୪୦ ଭାରତୀୟ ମୃତ; ୫୦ ଜଣ ଗୁରୁତର ଆହତ

ଉଚ୍ଚସ୍ତରୀୟ ବୈଠକ କଲେ ପ୍ରଧାନମନ୍ତ୍ରୀ, କୁଏତ ଗଲେ ମନ୍ତ୍ରୀ କେଭି ସିଂହ କୀର୍ତ୍ତିବର୍ଦ୍ଧନ

ମଙ୍ଗଫ୍‌ (କୁଏତ୍‌): ଆଜି ସକାଳେ କୁଏତ୍‌ର ଦକ୍ଷିଣରେ ଅବସ୍ଥିତ ମଙ୍ଗଫ୍‌ ସହରର ଏକ ବହୁତଳ କୋଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ସର୍ବାଧିକ ୪୦ଜଣ ଭାରତୀୟ ଅଛନ୍ତି। ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀ ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି। ମୃତାହତ ଭାରତୀୟଙ୍କ ପରିବାରଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ସେଠାକାର ରାଷ୍ଟ୍ରଦୂତଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସ୍ଥାନୀୟ ଗଣମାଧ୍ୟମର ସୂଚନାନୁସାରେ, ଆଜି ଭୋର ସାଢ଼େ ୪ଟା ବେଳେ କୋଠାରେ ନିଆଁ ଲାଗିଥିବା ସୂଚନା ମିଳିଥିଲା। କୁଏତ୍‌ର ସବୁଠାରୁ ବଡ଼ ନିର୍ମାଣ ସଂସ୍ଥା ଏନ୍‌ବିଟିସି ଗ୍ରୁପ୍‌ର ଏହି ୬ ମହଲା କୋଠା ଘରଟି ଶ୍ରମିକଙ୍କ ରହିବା ପାଇଁ ବ୍ୟବହାର କରାଯାଉଥିଲା। ଏଥିରେ ୧୯୫ଜଣ ଶ୍ରମିକ ଓ ସଂସ୍ଥାର କର୍ମଚାରୀ ରହୁଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ଏବଂ ସେମାନେ କେରଳ, ତାମିଲନାଡ଼ୁ ଓ ଉତ୍ତରପ୍ରଦେଶ, ଜମ୍ମୁ କଶ୍ମୀର ଆଦି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଲୋକ। କୋଠାଘରର ଏକ ରନ୍ଧାଘରେ ପ୍ରଥମେ ନିଆଁ ଲାଗିବା ପରେ ସମଗ୍ର କୋଠାକୁ ବ୍ୟାପିଥିଲା। ନିଆଁ ବ୍ୟାପିବା ପରେ ପଞ୍ଚମ ମହଲାରେ ରହୁଥିବା ଅନେକ ବ୍ୟକ୍ତି ଜୀବନ ବଞ୍ଚାଇବା ପାଇଁ ତଳକୁ ଡେଇଁପଡ଼ିଥିଲେ। ଯେଉଁମାନେ ଡେଇଁଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ମୃତ୍ୟୁ ଘଟିଛି।

କୁଏତ୍‌ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନାନୁସାରେ, ସଂଧ୍ୟାସୁଦ୍ଧା ମୃତ୍ୟୁ ସଂଖ୍ୟା ୪୯କୁ ବୃଦ୍ଧି ପାଇଛି। ଗୁରୁତର ଆହତଙ୍କୁ ଅଲ୍‌ ଆଦାନ୍‌ ଓ ମୁବାରକ୍‌ ଅଲ୍‌ କବୀର ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଆହତ ୫୦ଜଣଙ୍କ ମଧ୍ୟରେ ୩୦ଜଣ ଭାରତୀୟ ଅଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ସାମାଜିକ ଗଣମାଧ୍ୟମ ଏକ୍ସରେ ମୃତାହତଙ୍କ ସବିଶେଷ ତଥ୍ୟ ପ୍ରକାଶ କରିନାହାନ୍ତି। ତେବେ କହିଛନ୍ତି ଯେ କୁଏତ୍‌ ସହରରେ ଘଟିଥିବା ଅଗ୍ନିକାଣ୍ଡରେ ସେ ମର୍ମାହତ। ଏଥିରେ ୪୦ଜଣଙ୍କ ମୃତ୍ୟୁ ହୋଇଥିବା ସହ ୫୦ ଆହତ ହୋଇଛନ୍ତି। ଆମର ରାଷ୍ଟ୍ରଦୂତ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଆମର ରାଷ୍ଟ୍ରଦୂତ କାର୍ଯ୍ୟାଳୟ ସମସ୍ତ ସହାୟତା ଯୋଗାଇବେ। ଅନ୍ୟ ଏକ ପୋଷ୍ଟ୍‌ରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିଛନ୍ତି। ରାଷ୍ଟ୍ରମନ୍ତ୍ରୀ କେଭି ସିଂହ କୀର୍ତ୍ତି ବର୍ଦ୍ଧନ ସିଂହଙ୍କୁ ତୁରନ୍ତ କୁଏତ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ଓ ଆବଶ୍ୟକ ସହୟତାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

‌ଅପରପକ୍ଷରେ କୁଏତ୍‌ର ଉପପ୍ରଧାନମନ୍ତ୍ରୀ ସେକ୍‌ ଫାହାଦ୍‌ ଅଲ୍‌ ସବା ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ସେଠାର ଭୟଙ୍କର ସ୍ଥିତି ଅନୁଧ୍ୟାନ କରିବା ପରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆଜି ଯାହା ଘଟିଲା ତାହା କୋଠା ମାଲିକ ଓ ନିର୍ମାଣ କମ୍ପାନିର ଅତ୍ୟଧିକ ଲୋଭ ଯୋଗୁ ଘଟିଛି। ଏହାକୁ ଦୃଷ୍ଟିରେ ରଖି କୋଠା ମାଲିକଙ୍କୁ ଗିରଫ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଏନ୍‌ବିଟିସି କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଭାରତୀୟ ବଂଶୋଦ୍ଭବ କେଜି ଆବ୍ରାହମ୍‌ ଅଟନ୍ତି।

ସମ୍ବନ୍ଧିତ ଖବର