ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଆଜି ଗିରଫ ହୋଇଛନ୍ତି। ଏହାକୁ ବିରୋଧ କରି ପାକିସ୍ତାନ‌େର ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। ତାଙ୍କ ସମର୍ଥନରେ‌ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇ ହିଂସାତ୍ମକ ପ୍ରତିବାଦ କରିଛନ୍ତି। ସେନାବାହିନୀର ମୁଖ୍ୟାଳୟ ଉପରେ ଚଢ଼ଉ କରିବା ସହିତ ଇମ୍ରାନଙ୍କ ସମର୍ଥକମାନେ ସରକାରୀ ସଂପତ୍ତିରେ ନିଆଁ ଲଗାଇଦେଇଛନ୍ତି। ପରିସ୍ଥିିତି ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ବେଳେ ସୁରକ୍ଷା ବାହିନୀ ଅସହାୟ ହୋଇପଡ଼ିଛନ୍ତି। ବିଭିନ୍ନ ସ୍ଥାନରେ କଟକଣା ଜାରି କରାଯାଇଥିଲେ ମଧ୍ୟ ଉତ୍ତ୍ୟକ୍ତ ଲୋକେ ମାନୁ ନାହାନ୍ତି। ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଛି।
ପିଟିଆଇ (ପାକିସ୍ତାନ ତେହରିକ ଏ ଇନସାଫ୍‌) ମୁଖ୍ୟ ଇମ୍ରାନ ଖାନ୍‌ ଇସଲାମାବାଦ ହାଇକୋର୍ଟ ଯାଇଥିବା ବେଳେ କୋର୍ଟ ପରିସରରୁ ପାକ୍‌ ରେଂଜର୍ସମାନେ ତାଙ୍କୁ ଧକ୍କା ମାରି ମାରି ଉଠାଇ ନେଇଥିଲେ। ଏହି ଖବର ପ୍ରଚାରିତ ହେବାପରେ ପାକିସ୍ତାନ ଅଶାନ୍ତ ହୋଇପଡ଼ିିଥିଲା।। ଦୁର୍ନୀତି ମାମଲାରେ ଇମ୍ରାନ ଗିରଫ ହୋଇଥିବା ସରକାର କହୁଥିବା ବେଳେ ପାକ୍‌ ରେଂଜର୍ସମାନେ ଇମ୍ରାନ ଓ ତାଙ୍କ ଆଇନଜୀବୀଙ୍କୁ ମାଡ଼ପିଟ କରିଥିବା ଅଭି‌େଯାଗ ହୋଇଛି। ଏହାକୁ ନେଇ ଦେଶବ୍ୟାପୀ ହିଂସା ଆରମ୍ଭ ହୋଇଯାଇଛି। କରାଚୀ, ଲାହୋର, ଇସଲାମାବାଦ ଓ ରାୱଲପିଣ୍ଡି ସମେତ ସମସ୍ତ ପ୍ରମୁଖ ସହରରେ ବ୍ୟାପକ ହିଂସା ଓ ପୋଡ଼ାଜଳା ଦେଖିବାକୁ ମିଳିଛି।

Advertisment

ଇସଲାମାବାଦ ଓ ଲାହୋରରେ ଧାରା ୧୪୪ ଜାରି ହୋଇଛି। ଶତାଧିକ ସ୍ଥାନରେ ରାସ୍ତା ଅବରୋଧ ଓ ଭଙ୍ଗାରୁଜା ଯୋଗୁଁ ଅଣାୟତ୍ତ ସ୍ଥିତି ଉପୁଜିଛି। ପିଟିଆଇ ସମର୍ଥକମାନେ ବିଭିନ୍ନ ସରକାରୀ ପ୍ରତିଷ୍ଠାନ ଉପରେ ଚଢ଼ଉ କରିଥିବା ରିପୋର୍ଟ ମିଳିଛି । ରାୱଲପିଣ୍ଡି ସ୍ଥିତ ସେନା ମୁଖ୍ୟାଳୟରେ ଆନ୍ଦୋଳନକାରୀମାନେ ଧସେଇ ପଶିବା ସହ ପ୍ରବଳ ପଥର ମାଡ଼ କରିଛନ୍ତି। ଲାହୋରରେ କର୍ପ‌୍‌ସ କମାଣ୍ଡରଙ୍କ ବାସଭବନଉପରେ ମଧ୍ୟ ଆକ୍ରମଣ ହୋଇଛି । ଇମ୍ରାନଙ୍କ ସମର୍ଥକମାନେ ଆଜି ପେଶାୱାରରେ ରେଡିଓ ପାକିସ୍ତାନ ଅଫିସକୁ ଜାଳି ପାଉଁଶ କରିଦେଇଛନ୍ତି। ଶତାଧିକ ହିଂସାକାରୀଙ୍କୁ ସେନା ଅଟକ ରଖିଥିବା ବେଳେ ଆନ୍ଦୋଳନକାରୀଙ୍କ ଉପରେ ଲାଠିମାଡ଼ ଓ ଟିୟର ଗ୍ୟାସ ମାଡ଼ କରାଯାଉଛି । ସମଗ୍ର ପାକିସ୍ତାନରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି।

ଇମ୍ରାନ ଖାନ୍‌ ଦେଶର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି ବୋଲି ଗତକାଲି ସେନା ଦାବି କରିବା ପରେ ଆଜି ଇମ୍ରାନଙ୍କୁ ଗିରଫ କରାଯାଇଛି। ତେବେ ଇମ୍ରାନ କୋର୍ଟ ପରିସର‌ରେ ଗିରଫ ହେବାପରେ ଇସଲାମାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଉକ୍ତ ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ମୁଖ୍ୟ ବିଚାରପତି ଅମେର ଫାରୁକ ଇସଲାମାବାଦ ପୁଲିସ ମୁଖ୍ୟ, ଆଭ୍ୟନ୍ତରୀଣ ମନ୍ତ୍ରାଳୟ ସଚିବ ଏବଂ ଅତିରିକ୍ତ ଏଟର୍ଣ୍ଣି ଜେନେରାଲଙ୍କୁ ୧୫ ମିନିଟ୍‌ରେ କୋର୍ଟରେ ହାଜର ହେବା ସହ କେଉଁ ମାମଲାରେ ଇମ୍ରାନ ଗିରଫ ହୋଇଛନ୍ତି ତାହାର ବିବରଣୀ ଦେବାକୁ କହିଥିଲେ। କୋର୍ଟ କହିଛନ୍ତି, ଯଦି ଇସଲାମାବାଦ ପୁଲିସ ମୁଖ୍ୟ ହାଜର ନହୁ୍ଅନ୍ତି ତେବେ ସେ ପ୍ରଧାନମନ୍ତ୍ରୀଙ୍କୁ ସମନ କରିବେ।

ପିଟିଆଇ ମୁଖ୍ୟ ଇମ୍ରାନ ଆଜି ଲାହୋରରୁ ଇସଲାମାବାଦ କୋର୍ଟକୁ ଏକ ମାମଲାରେ ହାଜର ହେବାପାଇଁ ଯାଇଥିଲେ। କୋର୍ଟରେ ଇମ୍ରାନଙ୍କ ବାୟୋମେଟ୍ରିକ ପ୍ରକ୍ରିୟା‌ ଚାଲିଥିବା ବେଳେ ଏହି ସମୟରେ ପାକ୍‌ ରେଂଜର୍ସମାନେ କା‌ଚ ଝରକା ଭାଙ୍ଗି ଭିତରକୁ ପଶିଥିଲେ ଏବଂ ଇମ୍ରାନଙ୍କୁ ଧକ୍କା ମାରି ବାହାରକୁ ଆଣିଥିଲେ। ‌ରେଂଜର୍ସମାନେ ‌କୋର୍ଟରେ ଇମ୍ରାନଙ୍କ ସୁରକ୍ଷାକର୍ମୀ ଏବଂ ଓକିଲଙ୍କୁ ମାଡ଼ପିଟ କରିବା ଦୃଶ୍ୟ ରେକର୍ଡ ହୋଇଛି। ଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ ରେଂଜର୍ସମାନେ ଇମ୍ରାନଙ୍କ କଲାର ଧରି ତାଙ୍କୁ ଘୋଷାଡ଼ି ନେଇ ପୁଲିସ ଭ୍ୟାନ୍‌ରେ ପୂରାଇଥିଲେ। ପାକିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରୀ ରାଣା ସନାଉଲ୍ଲା ଏକ ଟ୍ବିଟ୍‌ କରି କହିଛନ୍ତି ଯେ ଇମ୍ରାନ ଖାନଙ୍କୁ ବ‌ାରମ୍ବାର ନୋଟିସ କରାଯିବା ସତ୍ତ୍ବେ ସେ କୋର୍ଟରେ ହାଜର ହେଲେନାହିଁ। ପାକିସ୍ତାନର ଜାତୀୟ ଦୁର୍ନୀତି ନିବାରଣ ବ୍ୟୁରୋ (ଏନ୍‌ଏବି)ଦ୍ବାରା ଇମ୍ରାନଙ୍କୁ ଗିରଫ କରାଯାଇଛି ବୋଲି ସେ କହିଛନ୍ତି। ପିଟିଆଇ ନେତା ମୁସାରତ ଚିମା କହିଛନ୍ତି, ପୁଲିସ ଇମ୍ରାନଙ୍କୁ ନିର୍ଯାତନା ଦେଉଛି ଏବଂ ଏହା ବିରୋଧରେ ପିଟିଆଇ କର୍ମୀ ରାସ୍ତାକୁ ଓହ୍ଲାଇଛନ୍ତି। ପିଟିଆଇ ଉପସଭାପତି ଫୱାଦ ଚୌଧୁରୀ ମଧ୍ୟ ଏକ ଟ୍ବିଟ୍‌ କରି କହିଛନ୍ତି ଯେ ଇସଲାମାବାଦ ହାଇକୋର୍ଟ ପାକ୍‌ ରେଂଜର୍ସଙ୍କ ନିୟନ୍ତ୍ରଣରେ ରହିଛି। ଅନ୍ୟଜଣେ ପିଟିଆଇ ନେତା ଆଝର ମଶୱନି କହିଛନ୍ତି, ଇମ୍ରାନଙ୍କୁ କୋର୍ଟ ପରିସରରୁ ଅପହରଣ କରିନିଆଯାଇଛି।