ଜଳୁଛି ପ୍ରଧାନମନ୍ତ୍ରୀଙ୍କ ଘର: ରାନିଲ ବିକ୍ରମସିଂଘେଙ୍କ ବାସଭବନରେ ନିଆଁ ଲଗାଇଲେ ବିକ୍ଷୋଭକାରୀ

କଲମ୍ବୋ: ଅଣାୟତ୍ତ ହେବାରେ ଲାଗିଛି ଶ୍ରୀଲଙ୍କା ସ୍ଥିତି | ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ପଦରୁ ଆଜି ରାନିଲ ବିକ୍ରମସିଂଘେ ଇସ୍ତଫା ଦେଇଥିଲେ ବି ବିକ୍ଷୋଭକାରୀଙ୍କ ଆକ୍ରୋଶ ଥମିବାର ନାଁ ନେଉନାହିଁ । ରାଷ୍ଟ୍ରପତି ଭବନ ପରେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଟାର୍ଗେଟ କରିଛନ୍ତି ବିକ୍ଷୋଭକାରୀ | ତାଜା ସୂଚନା ମୁତାବକ ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି | ସୂଚନା ମୁତାବକ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଆଜି ରାଷ୍ଟ୍ରପତି ଭବନ ଛାଡି ପଳାଇବା ପରେ ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନକୁ କବଜା କରିନେଇଥିଲେ | ସେଠାରେ ବିକ୍ଷୋଭକାରୀମାନେ ବ୍ୟାପକ ଭଙ୍ଗାରୁଜା କରିଥିଲେ | ଆଉ ଏହା ପରେ ବିକ୍ଷୋଭକାରୀମାନେ ରାନିଲ ବିକ୍ରମସିଂଘେଙ୍କ ଘର ଅଭିମୁଖେ ଯାଉଥିବାବେଳେ ପୁଲିସ ଲୁହବୁହା ଗ୍ୟାସ ଗୁଳି ଚଳାଇଥିଲା |


ତଥାପି ବି ଏହାକୁ ନ ମାନି ବିକ୍ଷୋଭକାରୀ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇ ନିଆଁ ଲଗାଇଦେଇଥିବା ସୂଚନା ମିଳିଛି | ଉଲ୍ଲେଖ ଥାଉ କି ଦୀର୍ଘଦିନ ଧରି କୁହୁଳୁଥିବା ଅସନ୍ତୋଷ ଆଜି ବିରାଟ ଆକାର ନେଇଥିଲା। ଲକ୍ଷ ଲକ୍ଷ ବିକ୍ଷୋଭକାରୀ ରାଷ୍ଟ୍ରପତି ଭବନକୁ ଘେରାଉ କରିବା ସହ ଭିତରକୁ ପଶିବା ଉଦ୍ୟମ କରିବାରୁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ରାଷ୍ଟ୍ରପତି ଭବନ ଛାଡି ପଳାଇଥିଲେ । ଗତ କିଛି ମାସ ଧରି ଶ୍ରୀଲଙ୍କାର ଆର୍ଥିକ ଅବସ୍ଥା ଶୋଚନୀୟ ସ୍ଥିତିକୁ ଚାଲି ଆସିଥିବା ବେଳେ ଋଣ ବୋଝରେ ଦିନକୁ ଦିନ ତଳକୁ ଦବିବାରେ ଲାଗିଛି ଶ୍ରୀଲଙ୍କା। କିଛି ମାସ ହେଲାଣି ଦେଶରେ ଇନ୍ଧନ ଅଭାବ ସହ ସ୍କୁଲ ବନ୍ଦ ହେବା ଓ ଅଫିସ କାମ ଘରୁ ଆରମ୍ଭ ହେବା ପରେ ଏବେ ରାସ୍ତାକୁ ଲୋକେ ଓହ୍ଲାଇଛନ୍ତି ।

ସମ୍ବନ୍ଧିତ ଖବର