ମୁମ୍ବଇର ରୋଲଟା ଟେକନଲୋଜୀ ପାର୍କରେ ଭୟାବହ ଅଗ୍ନିକାଣ୍ଡ

ମୁମ୍ବାଇ : ମୁମ୍ବାଇର ଅନ୍ଧେରୀ(ପୂର୍ବ)ରେ ଥିବା ରୋଲଟା ଟେକନଲୋଜୀ ପାର୍କରେ ଆଜି ଅଗ୍ନିକାଣ୍ଡ ହୋଇଥିବା ଖବର ହସ୍ତଗତ ହୋଇଛି । ଏହି ନିଆଁର କାରଣ ଜଣାପଡ଼ିନଥିଲେ ମଧ୍ୟ ୨ୟ ମହଲାରେ ଥିବା ରୋଲଟା କମ୍ପାନିର ସର୍ଭର ରୁମରୁ ଏହି ନିଆଁ ବ୍ୟାପିଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି । ଏଣୁ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ତେବେ ଏପର୍ଯ୍ୟନ୍ତ କୌଣସି ଲୋକ ମୃତାହତ ହେବାର ଖବର ମିଳିନାହିଁ ।
ନିଆଁ ଲିଭାଇବାକୁ ଘଟଣାସ୍ଥଳରେ୨୭ଟି ଦମକଳ ଗାଡ଼ି ପହଞ୍ଚିଛି । ସେଗୁଡ଼ିକ ମଧ୍ୟରେ ରହିଛି ୧୧ଟି ଫାୟାର ଇଂଜିନ, ୯ଟି ଜେଟ ଟ୍ୟାଙ୍କର ଓ ୭ଟି ଅନ୍ୟ ସହାୟକ ଗାଡ଼ି ରହିଛି ।
ନିଆଁ ବ୍ୟାପିବା ଜଣାପଡ଼ିବା ପରେ ଏହି ବହୁତଳ କୋଠାରେ ଥିବା ଲୋକମାନଙ୍କୁ ଖାଲି କରାଯାଇଛି । ଦମକଳ ବାହିନୀ ପକ୍ଷରୁ ଭିତରେ ଫସିରହିଥିବା ଲୋକମାନଙ୍କ ସନ୍ଧାନ କରାଯାଉଛି । ତେବେ କୋଠାକୁ କାଚ ଓ ଆଲୁମିନିୟମ ଫ୍ରେମ ଦ୍ୱାରା ବନ୍ଦ କରାଯାଇଥିବାରୁ ଦମକଳ କର୍ମଚାରୀଙ୍କ ଦ୍ୱାରା ଭିତରକୁ ପ୍ରବେଶ କରିବା କଷ୍ଟକର ହୋଇପଡ଼ିଛି ।

ସମ୍ବନ୍ଧିତ ଖବର