ଅଗ୍ନିପଥ ନିଆଁରେ ଜଳୁଛି ରେଲୱେ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିରୋଧ, ବିକ୍ଷୋଭ, ହିଂସାକାଣ୍ଡ ଦେଖିବାକୁ ମିଳୁଛି । ସରକାର ଏହି ଯୋଜନା ସମ୍ପର୍କରେ ଘୋଷଣା କରିବା ପରଠାରୁ ସର୍ବାଧିକ କ୍ଷତିଗ୍ରସ୍ତ ହେବାରେ ଲାଗିଛି ରେଳ ବିଭାଗ । ବିଶେଷ କରି ବିହାରରେ ପ୍ରତିଦିନ ଟ୍ରେନରେ ନିଆଁ ଲଗାଉଛନ୍ତି ଆନ୍ଦୋଳନକାରୀ ଯୁବକ । ଗତ ୫ ଦିନ ମଧ୍ୟରେ ଆନ୍ଦୋଳନକାରୀ ୭ଟି ଟ୍ରେନର ୬୦ରୁ ଅଧିକ କୋଚ୍ ରେ ନିଆଁ ଲଗାଇଥିବା ବେଳେ ୧୧ଟି ଇଞ୍ଜିନକୁ ଜଳାଇ ଦେଇଛନ୍ତି । ସେହିପରି ଏକାଧିକ ରେଳ ଷ୍ଟେସନରେ ଭଙ୍ଗାରୁଜା କରି ଲକ୍ଷଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ କରିଛନ୍ତି ଆନ୍ଦୋଳନକାରୀ ।

ହିଂସାକାଣ୍ଡ ଯୋଗୁଁ ବର୍ତମାନ ସୁଦ୍ଧା ୬୦ କୋଟି ଟଙ୍କାର ଟିକେଟ୍ କ୍ୟାନସେଲ ହେଲାଣି । ୩୦ରୁ ଅଧିକ ଟ୍ରେନ ଯାତାୟତ ରଦ୍ଦ କରିବାକୁ ପଡିଛି । ରେଳ ବିଭାଗର ସୂଚନା ଅନୁସାରେ ଗୋଟିଏ ଜେନେରାଲ ବଗି ତିଆରି ପାଇଁ ୮୦ ଲକ୍ଷ ଖର୍ଚ୍ଚ ହେଉଥିବା ବେଳେ ଗୋଟିଏ ଏସି ବଗି ପ୍ରସ୍ତୁତ କରିବା ପାଇଁ ଖର୍ଚ୍ଚ ହୋଇଥାଏ ପ୍ରାୟ ଦେଢରୁ ୩ କୋଟି ଟଙ୍କା । ସେହିପରି ଗୋଟିଏ ରେଳ ଇଞ୍ଜିନ ତିଆରିରେ ଖର୍ଚ୍ଚ ହୋଇଥାଏ ପ୍ରାୟ ୨୦ କୋଟି ଟଙ୍କା । ଆନ୍ଦୋଳନକାରୀଙ୍କ ହିଂସାକାଣ୍ଡ ଯୋଗୁଁ ବର୍ତମାନସୁଦ୍ଧା ରେଲୱେର ୭୦୦ କୋଟିରୁ ଅଧିକ ଟଙ୍କାର ସମ୍ପତି ନଷ୍ଟ ହୋଇସାରିଲାଣି ।

ଅଗ୍ନିପଥ ଯୋଜନାକୁ ବିରୋଧ କରୁଥିବା ଆନ୍ଦୋଳନକାରୀ ସବୁଠାରୁ ଅଧିକ ରେଲୱେକୁ ଟାର୍ଗେଟ କରୁଥିବାରୁ ପୂର୍ବ-ମଧ୍ୟ ରେଲୱେ ଅନ୍ତର୍ଗତ ସମ୍ବେଦନଶୀଳ ଅଂଚଳରେ ସକାଳ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଟ୍ରେନ ଚଳାଚଳ ବନ୍ଦ ରଖାଯାଇଛି । ହିଂସାକାଣ୍ଡ ଘଟାଇବା ଏବଂ ଜାତୀୟ ସମ୍ପତି ନଷ୍ଟ କରିବା ଅଭିଯୋଗରେ ଗତ ୩ ଦିନରେ କେବଳ ବିହାରରେ ୨୫୦ ଜଣଙ୍କୁ ଗିରଫ କରାଯାଇଛି । ସେହିପରି ଏହି ତିନି ଦିନରେ ଦେଶରେ ୧୩୮ଟି ମାମଲା ରୁଜୁ କରାଯାଇଥିବା ବେଳେ ୭୧୮ ଜଣ ଗିରଫ ହୋଇଛନ୍ତି ।

ସମ୍ବନ୍ଧିତ ଖବର