ତ୍ରିକୂଟ ପର୍ବତରେ ନିଆଁ, ବୈଷ୍ଣୋଦେବୀ ଯାତ୍ରା ପ୍ରଭାବିତ

ଜମ୍ମୁ : ତ୍ରିକୂଟ ପର୍ବତରେ ଥିବା ଜଙ୍ଗଲରେ ନିଆଁ ଲାଗିଥିବାରୁ ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ମାତା ବୈଷ୍ଣୋଦେବୀ ପୀଠକୁ ଶ୍ରଦ୍ଧାଳୁଙ୍କ ଆଗମନ ପ୍ରଭାବିତ ହୋଇଛି । ଏହି ନିଆଁ ଲାଗିବା ପରେ ନୂଆ ବୈଷ୍ଣୋଦେବୀକୁ ଖେଲିଥିବା ରାସ୍ତାକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି । ତେବେ ପୁରୁଣା ରାସ୍ତାରେ ପୂର୍ବପରି ଶ୍ରଦ୍ଧାଳୁଙ୍କ ଯାତ୍ରା ଜାରି ରହିଛି ।

ବୈଷ୍ଣୋଦେବୀ ସ୍ରାଇନ ବୋର୍ଡର ସୂଚନା ଅନୁସାରେ ଗତ ରବିବାର ସଂଧ୍ୟାରେ ସାଞ୍ଜି ଛଟ୍ ହେଲିପ୍ୟାଡ ନିକଟରେ ନିଆଁ ଲାଗିଥିଲା । ପରେ ଏହି ନିଆଁ ଜଙ୍ଗଲକୁ ବ୍ୟାପିଯାଇଥିଲା । ନିଆଁ ଲାଗିବା ପରେ ନୂଆ ରୁଟରେ ଚାଲୁଥିବା ବ୍ୟାଟେରୀ ଚାଳିତ ଗାଡ଼ିଗୁଡ଼ିକର ଚଳାଚଳକୁ ବନ୍ଦ କରିଦିଆଯାଇଛି । ଅନ୍ୟପକ୍ଷରେ ସୋମବାରଦିନ ହେଲିକାପ୍ଟର ସେବାକୁ ବନ୍ଦ କରିଦିଆଯାଇଥିଲା । ଧୂଆଁ ଯୋଗୁଁ ଠିକ ଭାବେ ଦେଖାଯାଉନଥିବାରୁ ଯାତ୍ରୀଙ୍କ ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିଲା । ତେବେ ମଙ୍ଗଳବାରଦିନ ସ୍ଥିତିରେ ଉନ୍ନତି ଆସିବା ପରେ ଏହି ସେବାକୁ ପୁଣି ଚାଲୁ କରାଯାଇଛି ।

ସ୍ରାଇନ ବୋର୍ଡର ସିଇଓ ଅନସୁଲ ଗର୍ଗ କହିଛନ୍ତି ଯେ ତ୍ରିକୂଟ ପର୍ବତମାଳାରେ ନିଆଁ ଲାଗିଥିବାରୁ ଜଙ୍ଗଲ ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି । ତେବେ ଏହା ଦ୍ବାରା ଶ୍ରଦ୍ଧାଳୁଙ୍କ ଯାତ୍ରାରେ ବିଶେଷ ପ୍ରତିବନ୍ଧକ ସୃଷ୍ଟି ହୋଇନାହିଁ । କାରଣ ପାରମ୍ପରିକ ରାସ୍ତାଟି ଏବେ ବି ଚାଲୁ ରହିଛି ।

 

ସମ୍ବନ୍ଧିତ ଖବର