ଦିଲ୍ଲୀ ହୋଟେଲରେ ନିଆଁ, ୧୭ ମୃତ

ଜୀବନ ବଞ୍ଚାଇବାକୁ ୪ ମହଲାରୁ ଡେଇଁଲେ

ନୂଆଦିଲ୍ଲୀ: ଦିଲ୍ଲୀର କାରୋଲ ବାଗ୍‌ ଅଂଚଳରେ ଅବସ୍ଥିତ ଅର୍ପିତ ପ୍ୟାଲେସ୍‌ ହୋଟେଲରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟି ୧୭ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୩୫ ଜଣ ଆହତ ହୋଇଛନ୍ତି। ଭୋର୍‌ ସାଢ଼େ ୪ଟାରେ ଅଚାନକ ନିଆଁ ଲାଗିଯିବାରୁ ନିଦରେ ଶୋଇଥିବା ଲୋକେ ଏଥିରୁ ବର୍ତ୍ତିବା ପାଇଁ ରାସ୍ତା ପାଇନଥିଲେ। ନିଆଁ ପ୍ରଥମ ମହଲାରୁ ୪ର୍ଥ ମହଲାକୁ ଆଖି ପିଛୁଳାକେ ବ୍ୟାପିଯାଇଥିଲା ଏବଂ ସମଗ୍ର ହୋଟେଲ ଧୂଆଁରେ ଭରିଯାଇଥିଲା। କେତେକ ବ୍ୟକ୍ତି କୌଣସି ତାର ସହାୟତାରେ ତଳକୁ ଓହ୍ଲାଇବାକୁ ଉଦ୍ୟମ କରିଥିବା ବେଳେ ଆଉ କେତେକ ପ୍ରାଣ ବିକଳରେ ୪ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ। ଘଟଣାସ୍ଥଳରେ ସ୍ଥିତି ଅତ୍ୟନ୍ତ ହୃଦୟ ବିଦାରକ ଥିଲା ଏବଂ ଏହି ହୋଟେଲ ଏକ ନିଆଁ ପିଣ୍ଡୁଳା ପାଲଟିଯାଇଥିଲା। ତଳକୁ ଡେଇଁଥିବା ଦୁଇ ଜଣ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଜଣେ ଭାରତୀୟ ରାଜସ୍ବ ସେବା (ଆଇଆର୍‌ଏସ୍‌) ଅଧିକାରୀ ସୁରେଶ କୁମାର ବୋଲି ଜଣାପଡ଼ିଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ମିଳିନାହିଁ।
ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ୨୪ଟି ଦମକଳ ଏବଂ ୩୦ରୁ ଅଧିକ ପାଣି ଟ୍ୟାଙ୍କର ସହ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ କରିଥିଲେ ଏବଂ ସକାଳ ୭ଟା ସୁଦ୍ଧା ଏହି ଅପରେସନ୍ ସଂପୂର୍ଣ୍ଣ ହୋଇଥିଲା। ହୋଟେଲର ସମସ୍ତ କରିଡର ଏବଂ ସିଡିରେ ଓହ୍ଲାଇବା ରାସ୍ତା କାଠରେ ନିର୍ମିତ ହୋଇଥିବାରୁ ଏଥିରେ ତୁରନ୍ତ ନିଆଁ ଧରିଥିଲା ଏବଂ ଲୋକେ ନିଆଁ ଘେରରୁ ଖସିବାକୁ ବାଟ ପାଇନଥିଲେ। ଆହତମାନଙ୍କ ମଧ୍ୟରୁ ୧୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଅଗ୍ନିଶମ ବଭାଗ ସୂତ୍ରରୁ ଜଣାପଡ଼ିଛି। ସଟ୍‌ ସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଥିବା ବେଳେ ପୁଲିସ ଏହାର ଯାଞ୍ଚ ଚଳାଇଛି। ଏହି ହୋଟେଲ୍‌ରେ ୪୫ଟି ରୁମ୍‌ ଥିବା ବେଳେ ଘଟଣାବେଳେ ୫୩ ଜଣ ରହିଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଅଗ୍ନିକାଣ୍ଡରେ ମୃତକଙ୍କ ପାଇଁ ୫ ଲକ୍ଷ ଟଙ୍କା ସହାୟତା ଘୋଷଣା କରିବା ସହ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ପୁଲିସ ଏହି ଅଗ୍ନିକାଣ୍ଡ ମାମଲାରେ ହୋଟେଲର ମ୍ୟାନେଜର ଓ ଅନ୍ୟ ଜଣେ କର୍ମଚାରୀଙ୍କୁ ଗିରଫ କରିଛି।

ମୃତକଙ୍କ ମଧ୍ୟରେ ଅଧିକାଂଶ ଟୁରିଷ୍ଟ
ଅର୍ପିତ ପ୍ୟାଲେସ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ଟୁରିଷ୍ଟ୍‌ ବୋଲି ଜଣାପଡ଼ିଛି। ମ୍ୟାମାର୍‌ ଏବଂ କୋଚିରୁ ଆସିଥିବା ଲୋକେ ମଧ୍ୟ ଏଥିରେ ଜୀବନ ହରାଇଛନ୍ତି। ଅଧିକାଂଶ ମୃତ୍ୟୁ ଭୟଙ୍କର ଧୂଆଁରେ ଅଣନିଃଶ୍ବାସୀ ହୋଇ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କୋଠରୀଗୁଡ଼ିକରେ ଧୂଆଁ ଭର୍ତ୍ତି ହୋଇଯିବାରୁ ଲୋକେ କିଛି ଦେଖିପାରିନଥିଲେ ଏବଂ ଧୂଆଁ ବିଲ୍‌ଡିଂ ବାହାରକୁ ଆସି ନପାରିବାରୁ ଭୟଙ୍କର ସ୍ଥିତି ଉପୁଜିଥିଲା।

ସମ୍ବନ୍ଧିତ ଖବର