୩୦ ଯାତ୍ରୀଙ୍କୁ ନେଇ ଯାଉଥିବା ଚଳନ୍ତା ବସ୍‌ରେ ଲାଗିଲା ନିଆଁ, ଭିଡିଓ ହେଲା ଭାଇରାଲ

ଲକ୍ଷ୍ନୌ (ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଗତ ଶନିବାର ସନ୍ଧ୍ୟାରେ ଏକ ଚଳନ୍ତା ଯାତ୍ରୀବାହୀ ବସରେ ନିଆଁ ଲାଗିଯିବା ଘଟଣାର ଭିଡିଓ ଭାଇରାଲ ହୋଇଯିବା ପରେ ଏହି ଘଟଣା ଏବେ ଦେଶବ୍ୟାପି ଚର୍ଚ୍ଚା ସୃଷ୍ଟି କରିଛି। ଏହି ବସ୍‌ରେ ୩୦ ଜଣ ଯାତ୍ରୀ ଯାତ୍ରା କରୁଥିବା ବେଳେ ଏହି ଘଟଣାରେ ଅନେକ ଯାତ୍ରୀ ପୋଡ଼ିଜଳି ଆହତ ହୋଇଥିବା ବେଳେ କେହି କିନ୍ତୁ ମୃତାହତ ହୋଇ ନଥିବା ଜାଣିବାକୁ ମିଳିଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ସହରରେ ଗତ ସନ୍ଧ୍ୟାରେ ୩୦ ଜଣ ଯାତ୍ରୀ ରାଜ୍ୟ ସଡ଼କ ପରିବହନ ନିଗମର ଏକ ବସ୍‌ରେ ଯାତ୍ରା କରୁଥିବା ବେଳେ ହଠାତ ଚଳନ୍ତା ବସ୍‌ଟିରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା ଏବଂ ସେଥିରେ ନିଆଁ ଲାଗି ଯାଇଥିଲା। ବସ୍‌ରେ ଥିବା ଯାତ୍ରୀମାନେ ଘଟଣା କ’ଣ ବୁଝିବା ପୂର୍ବରୁ ପୂରା ବସ୍‌ରେ ଧୂଆଁ ଭର୍ତ୍ତି ହୋଇ ଯାଇଥିଲା। ଏ ଘଟଣା ଦେଖି ବସ୍‌ର ଡ୍ରାଇଭର ଓ କଣ୍ଡକ୍ଟର ବସ୍‌ର ଜରୁରୀକାଳିନ ପ୍ରସ୍ଥାନ ଦ୍ୱାରକୁ ଖୋଲିଦେବାକୁ ଉଦ୍ୟମ କରିଥିଲେ ମଧ୍ୟ ତାହା ଖୋଲି ନଥିଲା। ପରେ ବସ୍‌ ମଧ୍ୟରେ ଥିବା ଯାତ୍ରୀମାନେ ଭୟଭୀତ ହୋଇ ବସ୍‌ର ଝରକା ଭାଙ୍ଗି ସେହିବାଟେ ବସ୍‌ରୁ ପଦାକୁ ବାହାରି ନିଜ ଜୀବନ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ତେବେ, ଏହି ଘଟଣାରେ ଅନେକ ଯାତ୍ରୀ ପୋଡ଼ିଜଳି ଆହତ ହୋଇଥିବା ବେଳେ କେହି କିନ୍ତୁ ମୃତାହତ ହୋଇ ନଥିବା ଜାଣିବାକୁ ମିଳିଛି। ଅନ୍ୟପକ୍ଷରେ ଚଳନ୍ତା ଯାତ୍ରୀବାହୀ ବସ୍‌ଟିରେ କିପରି ଓ କେଉଁ ପରିସ୍ଥିତରେ ନିଆଁ ଲାଗିଲା ସେ ସଂପର୍କରେ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର