ନୂଆଦିଲ୍ଲୀ: ବୁଧବାର ଦିନ କର୍ଣ୍ଣାଟକ ଉପକୂଳ ଅନ୍ତର୍ଗତ ସମୁଦ୍ର ମଧ୍ୟସ୍ଥ କାର୍ୱାର୍ ବେସ୍ଠାରୁ ଦୂର ସମୁଦ୍ର ମଧ୍ୟରେ ଯାଉଥିବା ବେଳେ ବିମାନବାହୀ ଯୁଦ୍ଧପୋତ ‘ଆଇଏନ୍ଏସ୍ ବିକ୍ରମାଦିତ୍ୟ’ରେ ନିଆଁ ଲାଗିଯାଇଥିଲା ବୋଲି ଜାରି କରିଥିବା ବିବୃତିରେ ଭାରତୀୟ ନୌସେନା କହିଛି।
ଯୁଦ୍ଧପୋତରେ ଥିବା ଅଗ୍ନିନିର୍ବାପକ ଉପକରଣ ସାହାଯ୍ୟରେ ପରିଚାରକମାନେ ନିଆଁ ଲିଭାଇ ଦେଇଥିଲେ। ଉକ୍ତ ଅଘଟଣରେ କୌଣସି କର୍ମଚାରୀ ମୃତାହତ ହୋଇ ନ ଥିବା କଥା ନୌସେନା କହିଛି।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ମଧ୍ୟ ନୌସେନା ମୁଖ୍ୟାଳୟ ‘ଆଇଏନ୍ଏସ୍ ବିକ୍ରମାଦିତ୍ୟ’ରେ ଘଟିଥିବା ଅଗ୍ନିକାଣ୍ଡ ସଂକ୍ରାନ୍ତରେ ଅବଗତ କରାଇଥିବା ଜଣାପଡ଼ିଛି। ଘଟଣାର ତଦନ୍ତ ନିମନ୍ତେ ତଦନ୍ତ ବୋର୍ଡକୁ ନିର୍ଦେଶ ଦିଆଯାଇଥିବା କଥା ମଧ୍ୟ ନୌସେନା କହିଛି।
Image Courtesy of India Todayଆବଶ୍ୟକ ମରାମତି ପରେ ପରୀକ୍ଷାମୂଳକ ଭାବେ ଯଦ୍ଧପୋତଟି ଦୂର ସମୁଦ୍ରକୁ ଯାତ୍ରା କରୁଥିଲା।
ସୂଚନାଯୋଗ୍ୟ, ୨.୩ ବିଲିୟନ୍ ଡଲାର୍ ମୂଲ୍ୟର ଉପରୋକ୍ତ ଯୁଦ୍ଧପୋତଟିକୁ ୨୦୧୩ରେ ରୁଷ୍ରୁ ଭାରତକୁ ଅଣାଯାଇ ପ୍ରାଚୀନ ଭାରତର ପ୍ରଖ୍ୟାତ ସମ୍ରାଟ ବିକ୍ରମାଦିତ୍ୟଙ୍କ ନାମାନୁସାରେ ନାମିତ କରାଯାଇଥିଲା। ରୁଷ୍ ନିର୍ମିତ ଏହି ଯୁଦ୍ଧପୋତଟିକୁ ଭାସମାନ ବିମାନ ବନ୍ଦର ବୋଲି କୁହାଯାଏ। ୪୪,୫୦୦ ଟନ୍ ଓଜନବିଶିଷ୍ଟ ‘ବିକ୍ରମାଦିତ୍ୟ’ର ଲମ୍ବ ୨୮୪ ମିଟର୍ ଏବଂ ଉଚ୍ଚତା ପ୍ରାୟ ୬୦ ମିଟର୍। ଅର୍ଥାତ୍ ଏହାର ଉଚ୍ଚତା ଗୋଟାଏ ୨୦ ତାଲା କୋଠାର ଉଚ୍ଚତା ସହ ସମାନ। ସମୁଦାୟ ୨୨ଟି ଡେକ୍ ଥିବା ଏହି ଯୁଦ୍ଧପୋତଟିରେ ୩୦ ଲଢୁଆ ବିମାନ ରହିବାର ବ୍ୟବସ୍ଥା ଅଛି।
ସ୍ମରଣଯୋଗ୍ୟ, ଗତବର୍ଷ ମେ ମାସରେ ମଧ୍ୟ ‘ଆଇଏନ୍ଏସ୍ ବିକ୍ରମାଦିତ୍ୟ’ରେ ଛୋଟଧରଣର ଅଗ୍ନିକାଣ୍ଡ ଘଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/vikramaditya.jpg)