ମୁମ୍ବାଇ: ଦୁବାଇରୁ ଏୟାର ଇଣ୍ଡିଆ ଏଆଇ ୯୮୪ ମୁମ୍ବାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଅବତରଣ କରିବାକୁ ଆଉ ୧୫ମିନିଟ୍ ଥିବା ବେଳେ ବିମାନ ଭିତରେ ନିଆଁ ଲାଗିଥିବା ନେଇ କୋକୁଆ ଭୟ ଖେଳି ଯାଇଥିଲା। ପରେ କିନ୍ତୁ ଜଣାପଡ଼ିଲା ଜଣେ ପାସେଞ୍ଜର ସିଗାରେଟ୍ ଟାଣିବା ପରେ ଉକ୍ତ ଖଣ୍ଡିଆ ସିଗାରେଟ୍କୁ ବାଥ୍ରୁମ୍ ଡଷ୍ଟବିନ୍ରେ ପକାଇ ଦେବା ହେତୁ ଏହି ନିଆଁ ଲାଗି ଯାଇଥିଲା।
ଦୁବାଇରୁ ଏୟାର ଇଣ୍ଡିଆ ଯୋଗେ ଯାତ୍ରା କରୁଥିବା ଯାତ୍ରୀ କହନ୍ତି, ବିମାନଟି ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରିବାରକୁ ଆଉ ୧୫ମିନିଟ୍ ଥିଲା। ତେଣୁ ଯାତ୍ରୀଙ୍କୁ ସେମାନଙ୍କ ସିଟ୍ ବେଲଟ୍କୁ ବାନ୍ଧି ଦେବାକୁ କୁହାଯାଇଥିଲା। ସେହିପରି ଜୁରୁରିକାଳୀନ ସୁରକ୍ଷା ନିର୍ଦ୍ଦେଶ ବି ଦିଆଯାଇଥିଲା। ଏହି ସମୟରେ ବିମାନରେ ନିଆଁ ଲାଗିଥିବା ଜଣାପଡ଼ିଲା। ଏହା ପରେ ସମସ୍ତ ଯାତ୍ରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା। ଅଧିକାରୀମାନେ ବିମାନରେ ନିଆଁ ଲାଗିବା ଜାଣିବା ପରେ ତନାଘନା ଆରମ୍ଭ କରି ଦେଇଥିଲେ। ସଙ୍ଗେସଙ୍ଗେ କ୍ରିୟୁ ସଦସ୍ୟ ବାଥରୁମ୍ରେ ଯାଇ ପହଞ୍ଚି ଯାଇଥିଲେ। ଯେତେବେଳେ ସେମାନେ ବାଥରୁମ୍ର କାବଟ ଖୋଲିଥିଲେ ସେଠାରେ ଥିବା ଅଳିଆରେ ନିଆଁ ଲାଗିଯାଇଥିଲା ଜାଣିବାକୁ ପାଇଲେ। ତେବେ ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ସିଗାରେଟ୍ ପିଇବା ପରେ ସେହି ଖଣ୍ଡିଆ ସିଗାରେଟ୍କୁ ଡଷ୍ଟବିନ୍ରେ ପକାଇ ଚାଲି ଆସିଥିଲେ। ଫଳରେ ଡଷ୍ଟବିନ୍ ଭିତରେ ପଡ଼ିଥିବା ସମସ୍ତ ଅଳିଆରେ ନିଆଁ ଲାଗି ଯାଇଥାଏ। କିଛି ସମୟ ପରେ କ୍ରିୟୁ ସଦସ୍ୟ ପରିସ୍ଥିତିକୁ ଆୟତ୍ତ ଆଣି ଯାତ୍ରୀଙ୍କୁ ଶାନ୍ତ ରହିବାକୁ କହିଥିଲେ।
ଏୟାଇ ଇଣ୍ଡିଆ ପ୍ରବକ୍ତା ଏହି ଘଟଣା ସମ୍ପର୍କରେ ଆଲୋଚନା କରି କହିଛନ୍ତି, ଏହି ମାମଲକୁ ନେଇ ସମ୍ପର୍କୀୟ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରାଯାଇ ଯାଞ୍ଚ କରାଯାଉଛି।
ଏହି ବିମାନରେ ଯାତ୍ରା କରୁଥିବା ଅନ୍ୟଜଣେ ଯାତ୍ରୀ କହନ୍ତି, କ୍ରିୟୁ ସଦସ୍ୟଙ୍କ ସହିତ ବିମାନ ଭିତରେ ଥିବା ସମସ୍ତ ଯାତ୍ରୀ ନିଆଁ ଲାଗିବା କଥା ଶୁଣି ଭୟଭୀତ ହୋଇଯାଇଥିଲେ। ତେଣୁ ଏନେଇ ଯାଞ୍ଚ କରିବା ଉଚିତ କି ବିମାନରେ କିଭଳି ଭାବେ ଲଇଟର ନେବାକୁ ପରାମର୍ଶ ଦିଆଗଲା।