ଗୋଟିଏ ବର୍ଷ ପୂର୍ବରୁ ଚାକିରିରେ ଯୋଗ ଦେଇଥିବା ଅଗ୍ନିଶମ କର୍ମଚାରୀ ନିଆଁରେ ଫସି ଥିବା ଲୋକଙ୍କୁ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ବାଜି ଲଗାଇ ଦେଲେ

ନୂଆଦିଲ୍ଲୀ: ଗୁରୁବାର ସକାଳେ ଦିଲ୍ଲୀର ଉଦ୍ୟୋଗ ନଗର ଅନ୍ତର୍ଗତ ପୀରଗଡ଼ିଠାରେ ଥିବା ଗୋଟାଏ ବ୍ୟାଟେରି ଗୋଦାମ୍‌ରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବାର କିଛି ସମୟ ପରେ ସେଠାରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଗୋଦାମ ଭିତରେ ଥିବା ଏକ କୋଠା ଭାଙ୍ଗି ପଡ଼ିଥିଲା।

Image Source: Hindustan Times

ଅଗ୍ନିକାଣ୍ଡର ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ଅଗ୍ନିଶମ କର୍ମଚାରୀଙ୍କ ମଧ୍ୟରୁ ତିନିଜଣଙ୍କ ସମେତ ଜଣେ ସ୍ଥାନୀୟବାସିନ୍ଦା ଭାଙ୍ଗି ଥିବା କୋଠା ଭିତରେ ଫସି ଯାଇଥିଲେ। ଅଗ୍ନିଶମ ବିଭାଗ ଓ ଦମକଳ କର୍ମଚାରୀ ସଙ୍ଗେସଙ୍ଗେ ଫସିଥିବା ତିନିଜଣ ଅଗ୍ନିଶମ କର୍ମଚାରୀ ସମେତ ସ୍ଥାନୀୟବାସିନ୍ଦାଙ୍କୁ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରିଥିଲେ। ଏମାନଙ୍କ ମଧ୍ୟରୁ ଜଣେ ଅଗ୍ନିଶମ କର୍ମଚାରୀଙ୍କ ହସ୍‌ପିଟାଲ୍‌ ନେବା ବାଟରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଦିଲ୍ଲୀର ଅତିରିକ୍ତ ଡିସିପି ରାଜେନ୍ଦ୍ର ସିଂହ ସାଗରଙ୍କ କହିବାନୁସାରେ, କିଛି ଘଣ୍ଟାର ଅପରେସନ୍‌ ପରେ ଭୁଷୁଡି ପଡ଼ିଥିବା କୋଠା ତଳେ ଦବି ରହିଥିବା ଅଗ୍ନିଶମ କର୍ମଚାରୀ ଅମିତ ବାଲ୍ୟାନ୍‌ଙ୍କୁ ବି ସେଠାରୁ ଉଦ୍ଧାର କରାଯାଇଥିଲା। କିନ୍ତୁ ହସ୍‌ପିଟାଲ ପହଞ୍ଚିବା ପୂର୍ବରୁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା। ଅମିତଙ୍କ ବୟସ ୨୬ବର୍ଷ ହୋଇଥିବା ବେଳେ ଗୋଟିଏ ବର୍ଷ ପୂର୍ବରୁ ସେ ଚାକିରିରେ ଯୋଗ ଦେଇଥିଲେ। ନିଜର କର୍ତ୍ତବ୍ୟ ପାଳନ କରିବାକୁ ଯାଇ ଆଜି ସେ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ।

ଚାରି ତାଲାବିଶିଷ୍ଟ ଏହି କୋଠାରେ ଲାଗିଥିବା ନିଆଁ ଲିଭାଇବାକୁ  ୩୫ଟି ଦମକଳକୁ ସେଠାରେ ନିୟୋଜିତ କରାଯାଇଥିଲା। ଏଥିରେ ୧୪ ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଥିଲେ। ଅଗ୍ନିଶମ ବିଭାଗର ତୁରନ୍ତ ପଦକ୍ଷେପ ହେତୁ ଏହି ଅଗ୍ନିକାଣ୍ଡର ଶିକାର ହେବାରୁ ୧୦୦ରୁ ଊର୍ଧ୍ୱ ଲୋକଙ୍କ ଜୀବନ ରକ୍ଷା ପାଇ ଯାଇଛି।

ସମ୍ବନ୍ଧିତ ଖବର