କୋଲକାତା: ବାତ୍ୟାରେ ଏକ ବିରାଟ ଗଛ ଭାଙ୍ଗିପଡ଼ି ନିକଟରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ଲଟକିଥିଲା। ବିଦ୍ୟୁତ୍ ତାର ସବୁ ଛିଣ୍ଡି ଝୁଲୁଥିଲା। ଗତକାଲି ଅଗ୍ନିଶମ ବିଭାଗ ଦମକଳ କର୍ମଚାରୀମାନେ ସେହି ଗଛ କାଟୁଥିବାବେଳେ ବିଦ୍ୟୁତ୍ ସଂଘାତରେ ଆସି ସୁକାନ୍ତ ସିଂହ ରାୟ (୨୭) ନାମକ ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ସୁକାନ୍ତଙ୍କ ଘର ହୁଗୁଳି ଜିଲ୍ଲାର ତାରକେଶ୍ବରରେ। ଘଟଣାଟି ଘଟିଛି ହାଓଡ଼ା ଜିଲ୍ଲା ବେଲୁର ଥାନା ଅନ୍ତର୍ଗତ ଗାଙ୍ଗୁଲି ଷ୍ଟ୍ରିଟ୍ ମୋଡ଼ରେ। ଖବରପାଇ ଦମକଳ ବିଭାଗ ଡିଜି ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଦୁର୍ଘଟଣା ପାଇଁ ସେ ଘରୋଇ ବିଦ୍ୟୁତ୍ କମ୍ପାନିକୁ ଦାୟୀ କରିଛନ୍ତି। ସେମାନଙ୍କ ଖାମଖିଆଲ ନୀତି ଯୋଗୁଁ ଏଭଳି ଅଘଟଣ ଘଟିଛି। କମ୍ପାନି ବିରୋଧରେ ଥାନାରେ ଅଭିଯୋଗ କରାଯିବ ବୋଲି ଡିଜି କହିଛନ୍ତି।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ହାଓଡ଼ା ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ଏବଂ ଜଣେ ସଦସ୍ୟଙ୍କୁ ଚାକିରି ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ବେଲୁର ଥାନା ପୁଲିସ ବିଦ୍ୟୁତ୍ କମ୍ପାନିର ୩ ଜଣ କର୍ମଚାରୀଙ୍କୁ ଗିରଫ କରିବା ସହ ସେମାନେ ବ୍ୟବହାର କରୁଥିବା ଚାରି ଚକିଆ ଗାଡ଼ିକୁ ଜବତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/kolkata-759-1.jpg)
