ନୂଆଦିଲ୍ଲୀ: ଇନ୍ଦିରାଗାନ୍ଧି ନ୍ୟାସନାଲ ଓପନ୍ ୟୁନିଭର୍ସିଟି (ଇଗ୍ନୋ) ଅଗ୍ନିବୀରମାନଙ୍କ ପାଇଁ ବିଏ ଓ ବିକମ୍ ଡିଗ୍ରି ପାଠ୍ୟକ୍ରମ ଆରମ୍ଭ କରିବ। ‘ସମ୍ବାଦ’ ସହିତ ଆଲୋଚନା ବେଳେ ଏହି ସୂଚନା ଦେଇଛନ୍ତି ଇଗ୍ନୋର ପ୍ରୋ ଭାଇସ ଚାନସେଲର୍ ପ୍ରଫେସର ଶ୍ରୀକାନ୍ତ ମହାପାତ୍ର।
ପ୍ରଫେସର ମହାପାତ୍ରଙ୍କ ସୂଚନା ଅନୁସାରେ ଦଶମ ଓ ଦ୍ବାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ଅଗ୍ନିବୀରଙ୍କ ପାଇଁ ବିଶେଷ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଉଛି। ଇଗ୍ନୋର ତିନି ବର୍ଷର ସ୍ନାତକ ଡିଗ୍ରି ପାଠ୍ୟକ୍ରମରେ ପ୍ରଥମ ବର୍ଷର ପାଠ୍ୟକ୍ରମ ଶେଷ ହେବା ପରେ ସାର୍ଟିଫିକେଟ, ଦ୍ବିତୀୟ ବର୍ଷର ପାଠ୍ୟକ୍ରମ ଶେଷ ହେବା ପରେ ଡିପ୍ଲୋମା ଏବଂ ତୃତୀୟ ବର୍ଷର ପାଠ୍ୟକ୍ରମ ଶେଷ ହେବା ପରେ ଡିଗ୍ରି ମିଳିବ। ଅଗ୍ନିବୀରଙ୍କୁ ତିନି ବର୍ଷର ଡିଗ୍ରି ପାଠ୍ୟକ୍ରମ ପୂର୍ଣ୍ଣାଙ୍ଗ କରିବାକୁ ଛଅ ବର୍ଷ ସମୟ ମିଳିବ। ତିନି ବର୍ଷର ସ୍ନାତକ ଡିଗ୍ରି ପାଠ୍ୟକ୍ରମ ସମୁଦାୟ ୧୨୦ କ୍ରେଡିଟ୍ର ହେବ। ଏଥିରେ ୫୦ ପ୍ରତିଶତ କ୍ରେଡିଟ ଅଗ୍ନିବୀର ସମ୍ବନ୍ଧିତ ସେନା ପ୍ରଶିକ୍ଷଣରେ ରହିବ।
ଅନ୍ୟ ପକ୍ଷରେ ପାଠ୍ୟକ୍ରମର ଅଧ୍ୟୟନ ଓ ପରୀକ୍ଷାରୁ ଅଗ୍ନିବୀରଙ୍କୁ ୬୦ କ୍ରେଡିଟ ହାସିଲ କରିବାକୁ ପଡ଼ିବ। ଅଗ୍ନିବୀରକୁ ପ୍ରତ୍ୟେକ ବର୍ଷ ମୋଟ ୪୦ କ୍ରେଡିଟ ଅର୍ଜନ କରିବାକୁ ପଡ଼ିବ। ଏଥିରୁ ୨୦ କ୍ରେଡିଟ ପ୍ରଶିକ୍ଷଣରୁ ଓ ୨୦ କ୍ରେଡିଟ ପାଠ୍ୟକ୍ରମରୁ ଅର୍ଜନ କରିବା ଅନିବାର୍ଯ୍ୟ କରାଯାଇଛି। ପାଠ୍ୟକ୍ରମ ହାଇବ୍ରିଡ ମୋଡରେ ଚାଲିବ ବୋଲି ପ୍ରଫେସର ମହାପାତ୍ର କହିଛନ୍ତି। ନ୍ୟାସନାଲ କାଉନସିଲ ଫର ଭୋକେସନାଲ ଏଜୁକେସନ ଆଣ୍ଡ୍ ଟ୍ରେନିଂ (ଏନ୍ସିବିଇଟି) ଦ୍ବାରା କେଡିଟ ସଂବନ୍ଧିତ ରୂପରେଖ ପ୍ରସ୍ତୁତ କରାଯାଇଛି। ପାଠ୍ୟକ୍ରମ ପାଇଁ ମୁଦ୍ରିତ ସାମଗ୍ରୀ ଉପଲବ୍ଧ କରାଯିବ। ଯାହା ଦ୍ବାରା ଅଧ୍ୟୟନରେ କୌଣସି ପ୍ରତିବନ୍ଧକ ଆସିବ ନାହିଁ। ପାଠ୍ୟକ୍ରମରେ ଅର୍ଥଶାସ୍ତ୍ର, ରାଜନୀତି ବିଜ୍ଞାନ, ବାଣିଜ୍ୟ, ଲୋକ ପ୍ରଶାସନ, ଶିକ୍ଷା ଓ ଗଣିତ ଭଳି ବିଷୟକୁ ସାମିଲ କରାଯାଇଛି ବୋଲି ପ୍ରଫେସର ମହାପାତ୍ର ସୂଚନା ଦେଇଛନ୍ତି।