ସ୍ୱାଭାବିକଠାରୁ ୧୨ଗୁଣ ଅଧିକ
ନୂଆଦିଲ୍ଲୀ: ଦେଶବ୍ୟାପୀ ଦୀପାବଳି ଉତ୍ସବ ଧୂମ୍ଧାମରେ ପାଳନ ହୋଇଥିବା ବେଳେ ରାଜଧାନୀ ଦିଲ୍ଲୀରେ ବି ପ୍ରବଳ ବାଣ ଫୁଟିଛି। ବାଣ ବିକ୍ରିକୁ ସୁପ୍ରିମ୍ କୋର୍ଟ ନିଷେଧ କରିଥିବା ସତ୍ତ୍ୱେ ଏହି ଆଦେଶକୁ ଜଳାଞ୍ଜଳି ଦେଇ ପ୍ରଚୁର ବାଣ ଦିଲ୍ଲୀକୁ ଆସିଥିଲା। ଦିଲ୍ଲୀରେ ହୋଇଥିବା ଆତଶବାଜି ପରେ ଆଜି ସକାଳେ ସମଗ୍ର ଦିଲ୍ଲୀରେ ଧୂଆଁରେ ବୁଡ଼ି ରହିଥିବା ଦେଖିବାକୁ ମିଳିଥିଲା। ବାୟୁ ପ୍ରଦୂଷଣସ୍ତର ସାଂଘାତିକ ସ୍ଥିତିରେ ପହଞ୍ଚିଥିବା ବେଳେ ଏଥିରେ ସୁଧାର ହେବାର କୌଣସି ଚିହ୍ନବର୍ଣ୍ଣ ଦେଖିବାକୁ ମିଳିନାହିଁ। ଦିଲ୍ଲୀର ବିଭିନ୍ନ ସ୍ଥାନରେ ଦୀପାବଳି ରାତିରେ ପ୍ରଦୂଷଣସ୍ତର ସ୍ୱାଭାବିକଠାରୁ ୧୨ଗୁଣ ଅଧିକ ରହିଲା ଦକ୍ଷିଣ ଦିଲ୍ଲୀରେ ଆର୍କେ ପୁରମ ଭଳି ଜନବହୁଳ ଅଂଚଳରେ ପ୍ରଦୂଷଣସ୍ତରରେ ୯୫୦ ମାଇକ୍ରୋନ ଦେଖିବାକୁ ମିଳିଥିଲା ଯାହା ସ୍ୱାଭାବିକ ପ୍ରଦୂଷଣସ୍ତରଠାରୁ ୯ ଗୁଣ ଅଧିକ। ଅର୍କେ ପୁରମ୍ ବ୍ୟତୀତ ଆନନ୍ଦ ବିହାର , ଶାହଦରା, ବଜିରପୁର, ଅଶୋକ ବିହାର, ଶ୍ରୀନିବାସପୁରୀ ଆଦି ଅଂଚଳରେ ଗତ ରାତି ୧୦ଟା ବେଳକୁ ପ୍ରଦୂଷଣସ୍ତର ଉଦ୍ବେଗଜନକ ସ୍ଥିତିରେ ରହିଥିଲା। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଚଳିତ ଦୀପାବଳିରେ ସୁପ୍ରିମ୍ କୋର୍ଟ ବାଣ ବିକ୍ରି ନିଷିଦ୍ଧ କରିଥିଲେ।
ଏହାପରେ ଦିଲ୍ଲୀର ବାଣ ବେପାରୀମାନେ ଏହାକୁ ବିରୋଧ ବିରୋଧ କରିଥିଲେ। ତେବେ ଦୀପାବଳିରେ ପ୍ରବଳ ବାଣ ଫୁଟିଥିବାରୁ ସୁପ୍ରିମ୍ କୋର୍ଟ ଆଦେଶର ଏହା ଖୋଲା ଉଲ୍ଲଂଘନ ବୋଲି କୁହାଯାଉଛି । ଦୀପାବଳି ପୂର୍ବରୁ ଦିଲ୍ଲୀରେ ପ୍ରଦୂଷଣସ୍ତର ସ୍ୱାଭାବିକଠାରୁ ୯ ଗୁଣ ଅଧିକ ଥିବା ବେଳେ ଏବେ ଏହା ୧୨ ଗୁଣ ଅଧିକ ହୋଇଥିବାରୁ ପରିବେଶବିତ୍ମାନଙ୍କ ଚିନ୍ତା ବଢ଼ିଯାଇଛି। ବିଗତ ୩ ମାସ ଧରି ରାଜଧାନୀ ଦିଲ୍ଲୀକୁ ପ୍ରଦୂଷଣରୁ କିଛି ମାତ୍ରାରେ ମୁକ୍ତି ଦେବାପାଇଁ ଚାଲିଥିବା ପ୍ରୟାସ ଭଣ୍ଡୁର ହୋଇଥିବାରୁ ଆଗକୁ ସ୍ଥିତି ଅଧିକ ଭୟଙ୍କର ହେବା ଆଶଙ୍କା କରାଯାଉଛି।
ଜୁନ୍ ପରେ ବାୟୁ ପ୍ରଦୂଷଣସ୍ତରରେ ସୁଧାର ଆସିଥିବା ବେଳେ ଅକ୍ଟୋବର ୨ରୁ ଏଥିରେ ପୁଣି ଅବନତି ଦେଖିବାକୁ ଥିଲା। ବିଭିନ୍ନ ସ୍ଥାନରେ ଆବର୍ଜନା ଗଦାରେ ନିଆଁ, ନିର୍ମାଣ ଏବଂ ଉଚ୍ଛେଦ କାର୍ଯ୍ୟ ସାଂଗକୁ ବଢ଼ି ଚାଲିିଥିବା ଯାନବାହନ ପ୍ରଦୂଷଣ ଘୋର ଚିନ୍ତାର କାରଣ ହୋଇଛି। ଦିଲ୍ଲୀରେ ୭୦ ପ୍ରତିଶତ ପ୍ରଦୂଷଣ ଦିଲ୍ଲୀର ଆବର୍ଜନା ଯୋଗୁଁ ହେଉଛି ଏବଂ ପଂଜାବ, ହରିୟାଣାର ପ୍ରଦୂଷଣ ମଧ୍ୟ ଦିଲ୍ଲୀକୁ ବ୍ୟାପୁଛି। ପ୍ରଦୂଷଣ ରୋକିବା ନେଇ ସରକାରଙ୍କ ନିଷ୍କ୍ରିୟତା ପ୍ରତିବାଦରେ ଅନେକ ସଂଗଠନ ଅସନ୍ତୋଷ ଜାହିର କରିଛନ୍ତି।