ମିନିଆପୋଲିସ : ପୁଣି ଏକ ଗୁଳିକାଣ୍ଡରେ ରକ୍ତରଂଜିତ ହୋଇଛି ଆମେରିକାର ସ୍କୁଲ । ଏହି ଗୁଳିକାଣ୍ଡରେ ଜଣେ ସ୍କୁଲଛାତ୍ର ସମେତ ମୋଟ ୩ ଜଣ ମୃତ୍ୟୁବରଣ କରିଛନ୍ତି ଓ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଆକ୍ରମଣକାରୀ ମଧ୍ୟ ରହିଛି । ଏହି ଗୁଳିକାଣ୍ଡ ସଂପର୍କରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ସୂଚୀତ କରାଯାଇଛି ।
ବୁଧବାର ସକାଳେ ଆମେରିକାର ମିନିଆପୋଲିସରେ ଥିବା ଆନାନସିଏସନ୍ କ୍ୟାଥୋଲିକ୍ ସ୍କୁଲରେ ଗୁଳିକାଣ୍ଡ ହୋଇଥିଲା। ଏହି ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୦ ଜଣ ଆହତ ହୋଇଛନ୍ତି। ଆମେରିକାର ନ୍ୟାୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ଆକ୍ରମଣକାରୀ ରହିଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସ୍କୁଲପିଲାମାନେ ସକାଳ ପ୍ରାର୍ଥନା ସଭାରେ ଯୋଗ ଦେଉଥିବାବେଳେ ଏହି ଗୁଳିକାଣ୍ଡ ହୋଇଥିଲା। ଏହି ସ୍କୁଲଟି ମିନିଆପୋଲିସର ଦକ୍ଷିଣ-ପୂର୍ବ ଆବାସିକ ଅଞ୍ଚଳରେ ଅବସ୍ଥିତ।
ଏହି ଘଟଣା ପରେ, ପୁଲିସ, ଏଫବିଆଇ, ଫେଡେରାଲ୍ ଏଜେଣ୍ଟ ଏବଂ ଆମ୍ବୁଲାନ୍ସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍କୁଲ ସହିତ ଜଡିତ ଜଣେ ବ୍ୟକ୍ତିଙ୍କ ଅନୁଯାୟୀ, ପିଲାମାନଙ୍କୁ ସ୍କୁଲରୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା।