ଗୁଜରାଟ : ନିର୍ବାଚନ ପୂର୍ବରୁ ଅଘଟଣ, ଯବାନଙ୍କ ଗୁଳି ମାଡ଼ରେ ୨ ଯବାନ ନିହତ

ପୋରବନ୍ଦର : ଆଗକୁ ଗୁଜରାଟ ନିର୍ବାଚନ ଥିବାବେଳେ ଶନିବାରଦିନ ଏକ ଅଘଟଣ ଘଟିଛି । ପୋରବନ୍ଦରଠାରୁ ୨୫ କିଲୋମିଟର ଦୂର ଟୁକଡା ଗୋସା ଗାଁରେ ନିର୍ବାଚନ ଡ୍ୟୁଟି ପାଇଁ ମୁତୟନ ଥିବା ଇଣ୍ଡିଆ ରିଜର୍ଭ ବାଟାଲିୟନର ଜଣେ ଯବାନ ନିଜର ଦୁଇ ସହକର୍ମୀ ଯବାନଙ୍କୁ ଗୁଳି କରି ହତ୍ୟା କରିଛି । ଏହି ଘଟଣାରେ ଆଉ ୨ ଜଣ ଆହତ ହୋଇଛନ୍ତି ।

ଏହି ଅଘଟଣ ଘଟିବା ବେଳେ ଉକ୍ତ ଯବାନମାନେ ଡ୍ୟୁଟିରେ ନଥିଲେ । କୌଣସି କାରଣରୁ ପରସ୍ପର ମଧ୍ୟରେ ଯୁକ୍ତିତର୍କ ଲାଗିବାରୁ ଅଭିଯୁକ୍ତ ନିଜ ସର୍ଭିସ ଏକେ-୫୬ ରାଇଫଲରୁ ଗୁଳି ଚଳାଇଥିଲା ବୋଲି ପୋରବନ୍ଦର କଲେକ୍ଟର ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଏଏମ ଶର୍ମା କହିଛନ୍ତି । ସଂଘର୍ଷର କାରଣ କ’ଣ ସେ ବିଷୟରେ ତଦନ୍ତ କରାଯାଉଛି ।

ଆହତ ହୋଇଥିବା ଯବାନ ଦ୍ବୟଙ୍କୁ ପୋରବନ୍ଦରଠାରୁ ୧୫୦ କିଲୋମିଟର ଦୂର ଜାମନଗରକୁ ସ୍ଥାନାନ୍ତରୀତ କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣକ ପେଟରେ ଓ ଆଉ ଜଣକ ଗୋଡ଼ରେ ଗୁଳି ଲାଗିଛି ।

ପୋରବନ୍ଦରରେ ପ୍ରଥମ ପର୍ଯ୍ୟାୟରେ ଅର୍ଥାତ ଡିସେମ୍ବର ୧ ରେ ମତଦାନ ଅନୁଷ୍ଠିତ ହେବ ।  ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ଡିସେମ୍ବର ୫ ରେ ହେବ ଏବଂ ୮ ତାରିଖରେ ଫଳାଫଳ ହେବ ।

ସମ୍ବନ୍ଧିତ ଖବର