ଉତ୍ତରପ୍ରଦେଶର ବିଜନୋରରେ ଅଭିଯୁକ୍ତକୁ କୋର୍ଟରେ ଗୁଳି କରି ହତ୍ୟା

ବିଜ୍‌ନୋର : ଉତ୍ତରପ୍ରଦେଶର ବିଜନୋରରେ ଆଜି ଏକ ସିଜେଏମ୍‌ କୋର୍ଟରେ ଜଣେ ହତ୍ୟା ଅଭିଯୁକ୍ତକୁ ଗୁଳି କରି ହତ୍ୟା କରାଯାଇଛି। କୋର୍ଟରେ ଶୁଣାଣି ଚାଲିଥିବାବେଳେ ହତ୍ୟା ଅଭିଯୁକ୍ତ ଶାହନୱାଜ ଅନ୍‌ସାରୀକୁ ହାଜର କରାଯାଇଥିଲା। ତେବେ ଏହି ସମୟରେ ୩ ଜଣ ଦୁର୍ବୃତ୍ତ ହଠାତ୍‌ ଅଭିଯୁକ୍ତ ଉପରକୁ ଗୁଳି ଚାଳନା କରିଥିଲେ। ଫଳରେ ଗୁଳିମାଡ଼ର ଶିକାର ହୋଇ ଶାହନୱାଜ୍‌ର ମୃତ୍ୟୁ ହୋଇଯାଇଛି। ସିଜେଏମ୍‌ ଯୋଗେଶ କୁମାରଙ୍କ ଶରୀରରେ ବି ଗୁଳି ମାଡ଼ ହୋଇଛି। ଅନ୍ୟ ଜଣେ କନେଷ୍ଟବଳ ଏବଂ ହତ୍ୟା ଅଭିଯୁକ୍ତର ଜଣେ ଘନିଷ୍ଠ ସହଯୋଗୀ ମଧ୍ୟ ଗୁଳିମାଡ଼ରେ ଆହତ ହୋଇଛନ୍ତି। ଉତ୍ତରପ୍ରଦେଶର ଜଣେ ବିଏସ୍‌ପି ନେତା ହାଜି ଏହସାନ ଖାନ୍ ଏବଂ ତାଙ୍କ ପୁତୁରାଙ୍କୁ ଗତ ମେ’ରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି କାଣ୍ଡର ମୁଖ୍ୟ ଅଭିଯୁକ୍ତ ଶାହନୱାଜ ସମେତ ୧୨ ଜଣଙ୍କୁ ପୁଲିସ ଗିରଫ କରିଥିଲା। ଉକ୍ତ ହତ୍ୟାକାଣ୍ଡର ପ୍ରତିଶୋଧ ନେଇ ଅଭିଯୁକ୍ତକୁ ଗୁଳି କରି ହତ୍ୟା କରାଯାଇଛି। ଆଜିର ଘଟଣାରେ ମଧ୍ୟ ପୁଲିସ ୩ ଜଣଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର