ପୁଞ୍ଚ୍‌ ଏବଂ ରାଜୌରିରେ ପ୍ରବଳ ଗୁଳିବର୍ଷା

ସୀମାବର୍ତ୍ତୀ ଗ୍ରାମରେ ଆତଙ୍କ

ଶ୍ରୀନଗର : ଜମ୍ମୁ କଶ୍ମୀରର ପୁଞ୍ଚ୍‌ ଏବଂ ରାଜୌରି ଜିଲ୍ଲା ସ୍ଥିତ ନିୟନ୍ତ୍ରଣ ରେଖା ନିକଟ‌ରେ ଆଜି ପାକ୍‌ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳିଗୋଳା ମାଡ଼ କରିଛି। ପୁଞ୍ଚ୍‌ ଜିଲ୍ଲାର କ୍ରୀଷ୍ଣା ଘାଟି ସେକ୍ଟର ଏବଂ ରାଜୌରି ଜିଲ୍ଲାର ନୌସେରା ସେକ୍ଟରରେ ପାକିସ୍ତାନ ସୀମାବର୍ତ୍ତୀ ଗ୍ରାମଗୁଡ଼ିକୁ ଟାର୍ଗେଟ୍‌ କରିଥିବାରୁ ଆତଙ୍କ ସୃଷ୍ଟି ହୋଇଛି। ଲୋକେ ଘରଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାୟନ କରୁଛନ୍ତି। ଭାରତୀୟ ସେନା ମଧ୍ୟ ପାକ୍‌ ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଉଛି। ‌ ପାକିସ୍ତାନୀ ସେନା ଆଜି ସୀମାର ୬ଟି ଗ୍ରାମକୁ ଟାର୍ଗେଟ୍‌ କରି ଗୁଳି ବର୍ଷା କରିଛି। ଏଥିଯୋଗୁଁ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ‌ଗତ ଶୁକ୍ରବାର ମଧ୍ୟ ପାକିସ୍ତାନ ସେନା ରାଜୌରି ସେକ୍ଟରରେ ଗୁଳି ମାଡ଼ କରିଥିଲା। ଚଳିତ ବର୍ଷ ପାକିସ୍ତାନ ଦ୍ବାରା ୧୨୪୮ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି।

ସମ୍ବନ୍ଧିତ ଖବର