ଇମ୍ରାନ୍‌ଙ୍କୁ ଗୁଳିମାଡ଼; ଇମ୍ରାନ୍‌ଙ୍କ ସମେତ ୧୩ ଆହତ, ଜଣେ ମୃତ

ଗୁଳି କରିଥିବା ଯୁବକ ଗିରଫ

ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଉପରକୁ ଗୁରୁବାର ଦିନ ଗୁଳିମାଡ଼ ହୋଇଛି। ଅପରାହ୍ନରେ ଇମ୍ରାନ୍‌ ପୂର୍ବ ପଂଜାବ ପ୍ରଦେଶରେ ରୢାଲି କରୁଥିବ‌ା ବେଳେ ଜଣେ ଯୁବକ ତାଙ୍କ ଉପରକୁ ଅତର୍କିତ ଗୁଳିମାଡ଼ କରିଥିଲା। ଇମ୍ରାନଙ୍କ ଗୋଡ଼ରେ ୩-୪ ଗୁଳି ବାଜିଛି ଏବଂ ସେ ଏବେ ଲାହୋରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେ ବିପଦମୁକ୍ତ ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଏହି ଆକ୍ରମଣରେ ଇମ୍ରାନ୍‌ଙ୍କ ୧୩ ଜଣ ସହଯୋଗୀ ଆହତ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ହୋଇଛି। ଆକ୍ରମଣକାରୀ ସ୍ବୟଂଚାଳିତ ପିସ୍ତଲରୁ ଗୁଳିବର୍ଷା କରିଥିବା ଜଣାପଡ଼ିଛି। ‌ଆକ୍ରମଣରେ ଦୁଇ ଜଣ ସଂପୃକ୍ତ ଥିବା ଖବର ପ୍ରଚାରିତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ କେବଳ ଜଣେ ଆତତାୟୀର ସଂପୃକ୍ତି ନେଇ ପୁଲିସ ସ୍ପଷ୍ଟ କରିଛି। ଘଟଣାସ୍ଥଳରୁ ଆକ୍ରମଣକାରୀ ଏବଂ କେତେକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ଆକ୍ରମଣ ପରେ ଇମ୍ରାନ୍‌ କହିଛନ୍ତି, ‘ଆଲ୍ଲା ମତେ ନୂଆ ଜୀବନ ଦେଇଛନ୍ତି। ମୁଁ ଲଢ଼େଇ ଜାରି ରଖିବି।’ ଏହି ଆକ୍ରମଣ ପଛରେ ପ୍ରଧାନମନ୍ତ୍ରୀ ସରିଫ, ଗୃହ ମନ୍ତ୍ରୀ ଏବଂ ଆଇଏସଆଇ ଅଧିକାରୀଙ୍କର ହାତ ରହିଥିବା ସେ ଅଭିଯୋଗ କରିଛନ୍ତି।


ଅନ୍ୟପକ୍ଷରେ ଧରାପଡ଼ିଥିବା ଆକ୍ରମଣକାରୀ ମହମ୍ମଦ ନାଭେଦ ତା’ର ଅପରାଧ ସ୍ବୀକାର କରିବା ସହ ସେ କେବଳ ଇମ୍ରାନଙ୍କୁ ହତ୍ୟା କରିବାକୁ ଚାହୁଥିଲା ବୋଲି କହିଛି। ଇମ୍ରାନ ଲୋକଙ୍କୁ ଲଗାତାର ବିଭ୍ରାନ୍ତ କରିଚାଲିଥିବାରୁ ଏଥିରେ ଅତିଷ୍ଠ ହୋଇ ସେ ଏଭଳି ପଦକ୍ଷେପ ନେଇଥିବା କହିଛି।

ସୂଚନାଯୋଗ୍ୟ ଯେ ଇମ୍ରାନ ଗତ ଶୁକ୍ରବାରଠାରୁ ଲାହୋରରୁ ରାଜଧାନୀ ଇସଲାମାବାଦ ଅଭିମୁଖେ ଏକ ବିଶାଳ ଟ୍ରକ୍‌ କନଭୟରେ ରୢାଲି କରୁଛନ୍ତି। ଇମ୍ରାନ୍‌ କଣ୍ଟେନର ଟ୍ରକ୍‌ ଉପରକୁ ଯାଇ ତାଙ୍କ ଭାଷଣ ଆରମ୍ଭ କରିବାର କିଛି ସମୟ ପରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଇମ୍ରାନ ଖାନଙ୍କ ଘନିଷ୍ଠ ସହଯୋଗୀ ଫୈଜଲ ଜାଭେଦ ମଧ୍ୟ ଗୁଳିମାଡ଼ରେ ଗୁରୁତର ଆହତ ହୋଇଛନ୍ତି। ପାକିସ୍ତାନ ସରକାର ଉକ୍ତ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଘଟଣା ୨୦୦୭ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ବେନଜୀର ଭୁଟ୍ଟୋଙ୍କ ହତ୍ୟା ଘଟଣାକୁ ମନେ ପକାଇ ଦେଇଛି। ଭୁଟ୍ଟୋ ରାଲିରେ ଯାଉଥିବା ବେଳେ ତାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା।

ଉଲ୍ଲେଖ‌ଯୋଗ୍ୟ ଯେ ପାକିସ୍ତାନରେ ଶୀଘ୍ର ନିର୍ବାଚନ ଦାବି କରି ଇମ୍ରାନ ଗତ ଶୁକ୍ରବାରଠାରୁ ରୋଡ୍‌ ସୋ କରୁଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଇମ୍ରାନଙ୍କ ଉପରେ ଗୁଳିମାଡ଼ ଘଟଣାକୁ କଡ଼ା ନିନ୍ଦା‌ କରିଛନ୍ତି ଏବଂ ଉକ୍ତ ଘଟଣାରେ ତତ୍କାଳ ତଦନ୍ତ ଆରମ୍ଭ କରିବାପାଇଁ ଗୃହ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟ‌ରେ ଭାରତ ଏହ‌ି ଘଟଣା ଉପରେ ସତର୍କ ନଜର ରଖିଥିବା କହିଛି। ବିଦେଶ ବ୍ୟାପାର ମୁଖପାତ୍ର ଅରିନ୍ଦମ ବାଗ୍‌ଚି କହିଛନ୍ତି, ଇମ୍ରାନ୍‌ ଖାନଙ୍କ ଉପରେ ଆକ୍ରମଣ ଖବର ଆମେ ପାଇଛୁ। ଏନେଇ ବିସ୍ତୃତ ଖବର ହସ୍ତଗତ ହୋଇନାହିଁ।

ସମ୍ବନ୍ଧିତ ଖବର