୩୫୦୦ ଫୁଟ ଉଚ୍ଚରେ ଉଡୁଥିବା ବିମାନ ଉପରେ ଆକ୍ରମଣ, ଭୂମିରୁ ମରାଯାଇଥିବା ଗୁଳି ବାଜି ଯାତ୍ରୀ ଆହତ

ନୂଆଦିଲ୍ଲୀ: ମିଆଁମାରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ସାମ୍ନାକୁ ଆସିଛି, ଯାହାକୁ ବିଶ୍ବାସ କରିବା ସହଜ ନୁହେଁ। ମିଆଁମାରରେ ଗୋଟିଏ ବିମାନ ଉଡାଣ କରିବା ପରେ ଭୂମିରୁ ବିମାନ ଉପରକୁ ଗୁଳି ଚଳାଯାଇଥିଲା। ଏହି ଗୁଳି ବାଜି ବିମାନରେ ବସିଥିବା ଜଣେ ଯାତ୍ରୀ ଆହତ ହୋଇଯାଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ଯାତ୍ରୀଙ୍କ ଦେହରେ ଗୁଳି ବାଜିବା ସମୟରେ ବିମାନଟି ୩୫୦୦ଫୁଟ ଉଚ୍ଚ‌ରେ ଥିଲା।

ସୂଚନା ମୁତବକ, ୬୩ଜଣ ଯାତ୍ରୀଙ୍କୁ ନେଇ ମିଆଁମାର ନ୍ୟାସନାଲ ଏୟାରଲାଇନ୍ସର ଏକ ବିମାନ ପୂର୍ବ ରାଜ୍ୟ କାୟାର ରାଜଧାନୀ ଲୋଇକାବରେ ଅବତରଣ କରିବାର ଥିଲା। ମଝି ଆକାଶରେ ଏଭଳି ଘଟଣା ଘଟିବା ପରେ ବିମାନର ଜରୁରୀ ଅବତରଣ କରାଯାଇ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ପଠାଯାଇଥିବା ଜଣାପଡ଼ିଛି। ଭାଇରାଲ ହେଉଥିବା ଫଟୋରେ ଜଣେ ଯାତ୍ରୀ ଗୁଳି ବାଜିବା ପରେ ହେଉଥିବା ରକ୍ତସ୍ରାବକୁ ରୋକିବା ପାଇଁ ଟିସୁ ପେପରର ବ୍ୟବହାର କରୁଥିବା ଦେଖିବାକୁ ମିଳିଛି।

ବ୍ରିଟିଶ ନ୍ୟୁଜ୍ ଏଜେନ୍ସି ଦି ସନ୍ ଅନୁଯାୟୀ, ଘଟଣା ଘଟିବା ସମୟରେ ବିମାନଟି ୩୫୦୦ ଫୁଟ ଉଚ୍ଚରେ ଏବଂ ବିମାନବନ୍ଦରଠାରୁ ଚାରି କିଲୋମିଟର ଉତ୍ତରରେ ଉଡୁଥିଲା। ଏହି ଘଟଣା ପରେ ଲୋଇକାବରେ ଥିବା ମିଆଁମାର ନ୍ୟାସନାଲ ଏୟାରଲାଇନ୍ସ କାର୍ଯ୍ୟାଳୟ ଘୋଷଣା କରିଛି ଯେ ସହରକୁ ସମସ୍ତ ବିମାନ ଉଡାଣ ଉପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପ୍ରତିବନ୍ଧକ ଲଗାଯାଇଛି।

ଦି ମିରରର ରିପୋର୍ଟ ଅନୁଯାୟୀ, କାୟା ରାଜ୍ୟର ବିଦ୍ରୋହୀ ବାହିନୀ ବିମାନ ଉପରକୁ ଗୁଳି ଚଳାଇଥିବା ଅଭିଯୋଗ କରିଛନ୍ତି ମିଆଁମାରର ସାମରିକ ସରକାର। ତେବେ ବିଦ୍ରୋହୀ ଗୋଷ୍ଠୀ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି।

ସମ୍ବନ୍ଧିତ ଖବର