ଗୌହାଟୀ: ଆସାମ-ମେଘାଳୟ ସୀମାର ମୁକ୍‌ରୋହ ଗ୍ରାମ ନିକଟରେ ଆଜି ଏକ ଗୁଳିକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଆସାମ ବନ ବିଭାଗ କର୍ମଚାରୀଙ୍କ ଗୁଳିମାଡ଼ରେ ମେଘାଳୟର ୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଲୋକଙ୍କ ଆକ୍ରମଣରେ ଆସାମର ଜଣେ ଫରେଷ୍ଟ୍‌ ଗାର୍ଡଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ଆସାମ ଏବଂ ମେଘାଳୟ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ମେଘାଳୟର ପଶ୍ଚିମ ଜୟନ୍ତିଆ ପାହାଡ଼ ନିକଟସ୍ଥ ମୁକ୍‌ରୋହ ଗ୍ରାମରେ ଏହି ଘଟଣାକୁ କେନ୍ଦ୍ର କରି ସୀମାନ୍ତ ଜିଲ୍ଲାଗୁଡ଼ିକରେ ପ୍ରବଳ ଉତ୍ତେଜନା ଓ ହିଂସା ଦେଖିବାକୁ ମିଳିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ତତ୍କାଳ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯିବା ସହ ୭ଟି ଜିଲ୍ଲାରେ ଇଣ୍ଟରନେଟ୍‌ ସେବା ବନ୍ଦ ରଖାଯାଇଛି ।

Advertisment

ଏହି ଗୁଳିକାଣ୍ଡ ଘଟଣା ଆଜି ସକାଳେ ୭:୩୦ରେ ଘଟିଛି। ପ୍ରାୟ ୧୫ ଜଣ ଗ୍ରାମବାସୀ ଜଙ୍ଗଲରୁ ଛୋଟ ଟ୍ରକ୍‌ରେ କାଠ ବୋଝେଇ କରି ଆସୁଥିବା ବେଳେ ସେମାନଙ୍କ ଉପରେ ଆସାମ ବନ କର୍ମଚାରୀମାନେ ଗୁଳିମାଡ଼ କରିଥିଲେ। ସେମାନେ ପ୍ରଥମେ ଟ୍ରକ୍‌ର ଟାୟାରକୁ ଗୁଳି କରିଥିଲେ ଏବଂ ଟ୍ରକ୍‌ ସେଠାରେ ଅଟକି ଯାଇଥିଲା। ତେବେ ବନ କର୍ମଚାରୀମାନଙ୍କୁ ନିକଟସ୍ଥ ଗ୍ରାମବାସୀମାନେ ଅଚାନକ ଘେରିଯିବା ପରେ ସେଠାରୁ ମୁକୁଳିବା ପାଇଁ ବନ କର୍ମଚାରୀମାନେ ଗୁଳିମାଡ଼ ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ହସ୍ପିଟାଲରେ ଚିକିତ୍ସା ସମୟରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ଗ୍ରାମବାସୀଙ୍କ ଆକ୍ରମଣରେ ମଧ୍ୟ କେତେକ ଫରେଷ୍ଟ୍‌ ଗାର୍ଡ ଗୁରୁତର ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଆସାମ ବନ କର୍ମଚାରୀଙ୍କ ଗୁଳିରେ ମେଘାଳୟର ୫ ଜଣଙ୍କ ମୃତ୍ୟୁ ହୋଇଥିବା ମେଘାଳୟର ଡେପୁଟି ଆଇଜି ଡେଭିସ୍‌ ଏନ୍‌ଆର୍‌ ମାରକ କହିଛନ୍ତି। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଆଜି ଗୁଳିକାଣ୍ଡର ଭିଡିଓ ସୋସିଆଲ ମଡିଆରେ ଭାଇରାଲ ହେବାପରେ ଉତ୍ତେଜନା ବଢ଼ିଥିଲା ଏବଂ ୭ଟି ଜିଲ୍ଲାରେ ହିଂସାତ୍ମକ ପ୍ରଦର୍ଶନ ଆରମ୍ଭ ହୋଇଯାଇଥିଲା। ଆାସାମ ବନ କର୍ମଚାରୀଙ୍କ ବିରୋଧରେ ସୀମାନ୍ତ ଅଞ୍ଚଳର ୪୦ରୁ ଅଧିକ ଗ୍ରାମର ବାସିନ୍ଦା ମେଳି ବାନ୍ଧିବାରୁ ପରିସ୍ଥିତି ତୀବ୍ର ଉତ୍ତେଜନାପୂର୍ଣ୍ଣ ରହିଛି । ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦ କିଛିମାସ ହେଲା ଥମିଥିବା ବେଳେ ଆଜିର ଘଟଣା ପରେ ପରିସ୍ଥିତି ପୁଣି ଗମ୍ଭୀର ହୋଇଛି । ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସାଂଗମା ଏ ବାବଦରେ ବନ ବିଭାଗ ଓ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଏବଂ ପୀଡ଼ିତ ପରିବାରଙ୍କ ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି।