ଭିଡ଼ିଓ ସେୟାର କରି ଅଭିଜ୍ଞତା ବଖାଣିଲେ କରୋନା ଆକ୍ରାନ୍ତ ଶାହିଦ ଆଫ୍ରିଦି; ପ୍ରଥମ ୨-୩ଦିନ କରୋନା ସହ ଲଢ଼ିବା ମୋ ପାଇଁ କଷ୍ଟଦାୟକ ଥିଲା, କିନ୍ତୁ….

କରାଚୀ: ଜୁନ ୧୩ରେ ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି କରୋନା ସଂକ୍ରମିତ ହୋଇଥିବା ନେଇ ଜଣାଇଥିଲେ । ଏ ସଂପର୍କରେ ସେ ନିଜେ ଟ୍ଵିଟ କରି ସୂଚନା ଦେଇଥିଲେ । ଏବେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସେ ନିଜ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଜଣାଇବାକୁ ଯାଇ ଏକ ଭିଡ଼ିଓ ସେୟାର କରିଛନ୍ତି | ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ମିଛ ଖବର ପ୍ରଚାର ହେଉଥିବା ଜାଣି ସେ ଏଭଳି କରିଛନ୍ତି | ଜାରି କରାଯାଇଥିବା ଭିଡ଼ିଓରେ ପ୍ରଥମ ୨-୩ଦିନ ବହୁତ କଷ୍ଟଦାୟକ ଥିଲା ବୋଲି କହିଛନ୍ତି ଶାହିଦ ଆଫ୍ରିଦି |

ମୁଁ ଏହି ଭିଡିଓ ସେୟାର କରିବାକୁ ବାଧ୍ୟ ହେଲି, କାରଣ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ମୋ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ମିଛ ଖବର ପ୍ରଚାର ହେଉଥିବା ଜାଣିବାକୁ ପାଇଥିଲି | ମୋର ପ୍ରଶଂସକମାନଙ୍କ ଦ୍ବନ୍ଦ୍ବ ଦୂର କରିବା ପାଇଁ ମୁଁ ଏହି ଭିଡ଼ିଓ ସେୟାର କରୁଛି | ପ୍ରଥମ ୨-୩ ଦିନ ମୋ ପାଇଁ ବାସ୍ତବରେ କଠିନ ଥିଲା କିନ୍ତୁ ଗତ କିଛି ଦିନ ମଧ୍ୟରେ ମୋର ଅବସ୍ଥା ସୁଧୁରିଛି। ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ଯେ ପର୍ଯ୍ୟନ୍ତ ଆପଣ ନିଜେ କୌଣସି ରୋଗର ମୁକାବିଲା କରିବେ ନାହିଁ, ଆପଣ ଏହାକୁ ପରାସ୍ତ କରିପାରିବେ ନାହିଁ | କରୋନା ସହ ଲଢେଇ ଦିନଗୁଡ଼ିକ ମୋ ପାଇଁ ମଧ୍ୟ କଷ୍ଟସାଧ୍ୟ ଥିଲା ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋ ପାଇଁ ସବୁଠୁ ବଡ ଦୁଃଖର ବିଷୟ ହେଉଛି ମୁଁ ମୋର ପିଲାମାନଙ୍କର ଯତ୍ନ ନେବା ସହ ସେମାନଙ୍କୁ ଆଲିଙ୍ଗନ କରିବାକୁ ଅସମର୍ଥ | ସେମାନଙ୍କଠାରୁ ଦୂରରେ ରହି ଏବେ ମୁଁ ସେମାନଙ୍କୁ ବହୁତ ମନେ ପକାଉଛି | କିନ୍ତୁ ସେମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସତର୍କତା ଅବଲମ୍ବନ କରିବା ଏବଂ ଦୂରତା ବଜାୟ ରଖିବା ଜରୁରୀ ଅଟେ | ଆପଣଙ୍କର ସମସ୍ତ ଶୁଭେଚ୍ଛା ପାଇଁ ଧନ୍ୟବାଦ।

ସମ୍ବନ୍ଧିତ ଖବର