ବ‌ର୍ଷେ ପୂରିଲା: ଦେଶବାସୀଙ୍କ ସ୍ମୃତିରେ ସଜୀବ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କ ବୀରତ୍ବ କାହାଣୀ

ନୂଆଦିଲ୍ଲୀ: ବାୟୁସେନାର ବୀର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ କିଏ ବା ଭୁଲି ପାରିବ?  ଶତ୍ରୁ ମାଟିରେ ଅଭିନନ୍ଦନ ଯେଉଁଭଳି ବୀରତ୍ୱ ଦେଖାଇଥିଲେ ସେଥିପାଇଁ ପୂରା ଦେଶ ତାଙ୍କୁ ସଲାମ କରିଥିଲା ।  ଆଜି ଏହି ଘଟଣାକୁ ଗୋଟିଏ ବର୍ଷ ପୂରିଛି । ତେବେ କିଭଳି ଥିଲା ପୂରା ଘଟଣା ଆସନ୍ତୁ  ତାହା ଉପରେ ଥରେ ନଜର ପକାନ୍ତୁ ।

୨୭ ଫେବ୍ରୁଆରି ୨୦୧୯ । ସକାଳ ୮ଟା ୪୫ରେ ପଂଜାବରେ ଥିବା ଭାରତୀୟ ବାୟୁସେନାର ରାଡାର କଂଟ୍ରୋଲ ଆଲର୍ଟ କଲା ଯେ ପାକିସ୍ତାନ ଏହାର ବାୟୁସୀମାକୁ ସାଧାରଣ ବିମାନ ଯାତ୍ରା ପାଇଁ ବନ୍ଦ କରିଦେଇଛି । ଏହି ଖବର ମିଳିବା ପରେ ତୁରନ୍ତ ୪ଟି ସୁଖୋଇ-୩୦୦ ଏମକେଆଇ ଯୁଦ୍ଧବିମାନକୁ ଆଲର୍ଟ କରାଗଲା । ଏଥିସହ ୨ଟି ମିରାଜ ୨୦୦୦କୁ ମଧ୍ୟ ତୁରନ୍ତ ମୁତୟନ କରାଗଲା । ଏହି ବିମାନସମୂହ ପୀର ପଞ୍ଜାଲ ମାଉଂଟେନ ରେଞ୍ଜରେ ଉତ୍ତରରୁ ଦକ୍ଷିଣ ଦିଗରେ ପାଟ୍ରୋଲିଂ ଆରମ୍ଭ କରିଦେଲେ ।

ଏହାରି ଭିତରେ ପାକିସ୍ତାନର ରଫିକି ଓ ସାର୍ଗୋଦା ଏୟାରବେସରୁ ପାକିସ୍ତାନ ଏୟାରଫୋର୍ସର ୨୪ଟି ଲଢୁଆ ବିମାନ ଆକ୍ରମଣ ମୁଦ୍ରାରେ ଭାରତୀୟ ସୀମା ଆଡକୁ ଅଗ୍ରସର ହେଉଥିବା ସୂଚନା ଆସିଲା। ୧୧ଟି ଆମେରିକା ତିଆରି ଏଫ-୧୬ ଫାଲକନ୍, ୧୩ଟି ଜେଏଫ-୧୭ ଥଣ୍ଡର କମ୍ବାଟ ଚାଇନିଜ ଏୟରକ୍ରାଫ୍ଟ ଏବଂ ମିରାଜ-୩ ଓ ୫  ପାକିସ୍ତାନୀ ଲଢୁଆ ବିମାନ ଭାରତ ଆଡକୁ ମାଡିଆସୁଥିଲେ । ଠିକ୍ ୯ଟା ୪୫ ବେଳକୁ ଏମାନେ ଭାରତୀୟ ସୀମାକୁ ପଶିବାକୁ ଉଦ୍ୟମ କରିଥିଲେ ।

ନୌସେରାରେ ଥିବା ବ୍ରିଗେଡ ହେଡକ୍ୱାର୍ଟର ଓ ଜାମ୍ମୁର ନଗରୌଟାରେ ଥିବା ୧୬ କର୍ପ୍ସ ହେଡକ୍ୱାର୍ଟର ଥିଲା ଏହି ବିମାନର ଟାର୍ଗେଟ । ଅଚାନକ ଏମାନେ ଦୁଇଟି ଭାଗରେ ବିଭକ୍ତ ହୋଇଯାଇଥିଲେ । ୮ଟି ବିମାନ ନଗରୌଟା ଆଡକୁ ଅଗ୍ରସର ହେଉଥିବାବେଳେ ଏମାନଙ୍କୁ ପିଛା କରିଥିଲା ଭାରତୀୟ ଲଢୁଆ ବିମାନ ମିରାଜ ୨୦୦୦ । ତେବେ ବିମାନଗୁଡିକୁ  ମାଇକା ମିଜାଇଲ ଜରିଆରେ ଆକ୍ରମଣ କରିଥିଲା ମିରାଜ ୨୦୦୦ । ଜୋରଦାର ଆକ୍ରମଣ ଫଳରେ ଏଗୁଡିକ ବାଟଭାଙ୍ଗି ଚାଲିଯିବାକୁ ବାଧ୍ୟ ହୋଇଥିଲେ ।

ହେଲେ ଏତିକିବେଳେ ୪ଟି ଏଫ-୧୬ ବିମାନ ନୌସେରା ସେକ୍ଟରରେ ଭାରତୀୟ ବାୟୁସୀମା ଭିତରକୁ ପ୍ରବେଶ କରିଯାଇଥିଲେ । ଏଠାରେ ଆଗରୁ ଜଗି ରହିଥିଲେ ୪ଟି ସୁଖୋଇ ଯୁଦ୍ଧ ବିମାନ । ଆଉ ପରେ ପରେ ଏମାନଙ୍କ ସହ ଯୋଗ ଦେଇଥିଲା ମିଗ-୨୧ ବାଇସନ୍ । ଗୋଟିଏରେ ଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ । ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ପରେ ପ୍ରଥମଥର ଆକାଶପଥରେ ମୁହାଁମୁହିଁ ହୋଇଥିଲେ ଉଭୟ ଦେଶର ଲଢୁଆ ବିମାନ ।  ଆକଶପଥରୁ ଆକାଶପଥରେ ନିକ୍ଷେପ ହୋଇପାରୁଥିବା ମିସାଇଲ ମାଡ କରିଥିଲା ଏଫ-୧୬ ।  ଏହି ମିସାଇଲ୍ ଏକ ସ୍ଥାନୀୟ ବ୍ରିଜ୍ ଓ ଖୋଲା ପଡିଆରେ ଆସି ବିସ୍ଫୋରିତ ହୋଇଥିଲା।

ଆଉ ମିସାଇଲ ମାଡ କରି ପୁଣି ପାକିସ୍ତାନ ପଟକୁ ଫେରିଥିଲା ଏଫ-୧୬ ବିମାନ । ହେଲେ ଫେରିଲା ବେଳେ ଏକ ଏଫ-୧୬ ବିମାନକୁ ଲକ୍ କରିଥିଲା ଅଭିନନ୍ଦନଙ୍କ ଫାଇଟର ଜେଟ୍ । ହେଲେ ବାୟୁସେନା ରାଡାରରୁ ତାଙ୍କୁ ଫେରିଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କାରଣ ଅତି ସଂକଟଜନକ ସ୍ଥିତିରେ ମଧ୍ୟ ଏଲଓସି ଡେଇଁ ପାକିସ୍ତାନ ସୀମା ଭିତରକୁ ପ୍ରବେଶ କରିବାର ଅନୁମତି ନଥିଲା । ଅଭିନନ୍ଦନଙ୍କ ଆକ୍ରମଣକୁ ଏଡାଇବା ପାଇଁ ପାକିସ୍ତାନୀ ବିମାନଟି ସିଧା ଉପରକୁ ଉଠିଥିଲା । ହେଲେ ଏହାକୁ ପିଛା କରି ଅଭିନନ୍ଦନ ରେଡିଓରେ ମେସେଜ ଦେଇଥିଲେ ଆର-୭୩ ସିଲେକ୍ଟେଡ୍ । ଏହାପରେ ସେ ଆର-୭୩ ମିସାଇଲ ନିକ୍ଷେପ କରିଥିଲେ ।

ଇତିହାସରେ ପ୍ରଥମଥର ଏକ ଏଫ-୧୬ ଯୁଦ୍ଧ ବିମାନକୁ ଆକାଶରେ ଧ୍ୱଂସ କରିଦେଇଥିଲା । ଆଉ ସେତେବେଳେକୁ ଏଲଓସି ଅତିକ୍ରମ କରି ପ୍ରାୟ ୧୦ରୁ ୧୨ କିଲୋମିଟର ପାକିସ୍ତାନ ଭିତରକୁ ପଶିଯାଇଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ । ଏହି ସମୟରେ ପାକିସ୍ତାନ ପଟୁ ଭୁପୃଷ୍ଠରୁ ଏକ ମିସାଇଲ ଆସି ଅଭିନନ୍ଦନଙ୍କ ମିଗ-୨୧କୁ ମାଡ଼  କରିଥିଲା । ଯାହାଫଳରେ ମିଗ-୨୧ ବାଇସନ୍ ବିମାନଟି ପାକିସ୍ତାନ ମାଟିରେ ଖସିପଡିଥିଲା । ଆଉ ପାରାଚ୍ୟୁଟରେ ତଳକୁ ଖସିଥିଲେ ଅଭିନନ୍ଦନ । ପାରାଚ୍ୟୁଟରେ ତଳକୁ ଖସିବା ପରେ ଦକ୍ଷିଣ ପିଓକେର ହୋରା ଗାଁର ଏକ ମରୁଭୂମି ଭଳି ଅଂଚଳରେ ପହଂଚିଥିଲେ ଭାରତୀୟ ପାଇଲଟ୍ । ଆଉ ସେହିଠାରୁ ହିଁ ତାଙ୍କୁ କାବୁ କରିନେଇଥିଲା ପାକ୍ ସେନା । ଦୀର୍ଘ ୫୬ ଘଣ୍ଟା ଅଭିନନ୍ଦନଙ୍କୁ ନିଜ ମାଟିରେ ବନ୍ଦୀ କରି ରଖିଥିଲା ପାକ୍ । କିନ୍ତୁ ଭାରତର ଚାପ ଆଗରେ ମୁଣ୍ଡ ନୁଆଇଁଥିଲେ ପାକ୍ । ମାର୍ଚ୍ଚ ୧ରେ ୱାଘା-ଅଟାରୀ ବର୍ଡରରେ ଅଭିନନ୍ଦନଙ୍କୁ ଭାରତକୁ ଛାଡିଥିଲା ପାକିସ୍ତାନ । ପାକିସ୍ତାନ ମାଟିରେ ୫୬ ଘଣ୍ଟା ରହିଥିଲେ ମଧ୍ୟ ଅଭିନନ୍ଦନ କୌଣସି ଗୁପ୍ତ ତଥ୍ୟ ପାକ୍ ସେନାକୁ ଦେଇ ନଥିଲେ, ଯେଉଁଥିପାଇଁ ପୂରା ଦେଶ ତାଙ୍କୁ ସଚ୍ଚା ସୈନିକ ଭାବେ ସଲାମ କରିଥିଲା ।

ସମ୍ବନ୍ଧିତ ଖବର