ଭାରତରେ ରହୁଥିବା ୩ ହଜାର ତାମିଲ ଶରଣାର୍ଥୀଙ୍କୁ ଫେରାଇନେବ ଶ୍ରୀଲଙ୍କା

ନୂଆଦିଲ୍ଲୀ : ଭାରତରେ ରହୁଥିବା ପ୍ରାୟ ୩ ହଜାର ତାମିଲ ଶରଣାର୍ଥୀ ଖୁବଶୀଘ୍ର ନିଜ ଦେଶ ଶ୍ରୀଲଙ୍କାକୁ ଫେରିଯିବେ । ଆସନ୍ତା ମାସେ ଦୁଇମାସ ମଧ୍ୟରେ ସେମାନଙ୍କ ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବ । ଏ ସଂପର୍କରେ ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ଦିନେଶ ଗୁଣବର୍ଦ୍ଧନେ ସୂଚନା ଦେଇଛନ୍ତି ।
ଗୁରୁବାରଦିନ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ସହ ଆଲୋଚନା ପରେ ସେ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ଯିବାକୁ ଥିବା ତାମିଲ ଶରଣାର୍ଥୀମାନଙ୍କୁ ଚିହ୍ନଟ କରାଯାଇଛି । ତେବେ ସେମାନଙ୍କ ସଂପର୍କରେ ଅଧିକ ସୂଚନା ଦେବାକୁ ସେ ମନାକରିଦେଇଛନ୍ତି ।

ଭାରତରେ ଏବେ ପ୍ରାୟ ୯୦ ହଜାର ଶ୍ରୀଲଙ୍କା ତାମିଲ ଶରଣାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୬୦ ହଜାରଙ୍କୁ ନିଜ ଦେଶକୁ ଫେରାଇ ନେବାକୁ ଶ୍ରୀଲଙ୍କା ରାଜି ହୋଇଛି । ଅବଶିଷ୍ଟ ୩୦ ହଜାରଙ୍କୁ ଭାରତରେ ନାଗରିକତା ଦିଆଯାଇଛି ବା ଦିଆଯିବାର ସମ୍ଭାବନା ରହିଛି । ଅଶୀ ଦଶକରେ ଶ୍ରୀଲଙ୍କାର ସଂଖ୍ୟାଗରିଷ୍ଠ ସିଂହଳି ଓ ସଂଖ୍ୟାଲଘୁ ତାମିଲମାନଙ୍କ ମଧ୍ୟରେ ଚାଲିଥିବା ଦଙ୍ଗା ସମୟରେ ଏହି ଶରଣାର୍ଥୀମାନେ ଭାରତରେ ଆଶ୍ରୟ ନେଇଥିଲେ ।

ଶ୍ରୀଲଙ୍କାର ଜାଫନାରେ ଥିବା ଏକ ବେସରକାରୀ ସଂଗଠନ ଏହି ଶରଣାର୍ଥୀମାନଙ୍କ ପ୍ରତ୍ୟାବର୍ତ୍ତନ ଓ ଥଇଥାନ ଦିଗରେ କାମ କରୁଛି ।
ଶ୍ରୀଲଙ୍କାରେ ବନ୍ଦୀ ଥିବା ଭାରତୀୟ ମତ୍ସ୍ୟଜୀବି ମାନଙ୍କୁ ମୁକ୍ତ କରିବା ସଂପର୍କରେ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଥିଲା । ମତ୍ସ୍ୟଜୀବି ଓ ସେମାନଙ୍କ ଡଙ୍ଗାଗୁଡ଼ିକୁ ଫେରାଇ ଦେବାଲାଗି ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ନିର୍ଦ୍ଦେଶ ଦେଇଥିବା ଗୁଣବର୍ଦ୍ଧନେ କହିଛନ୍ତି ।

ସମ୍ବନ୍ଧିତ ଖବର