ଗୁଜୁରାଟର ମୁନ୍ଦ୍ରା ବନ୍ଦରରେ ଆମେରିକାରୁ ଆସି ପହଞ୍ଚିଲା ପ୍ରଥମ କିସ୍ତି ବୋଇଂ ସିଏଚ୍‌-୪୭ଏଫ୍‌ ଚିନୋକ୍‌ ହେଲିକପ୍ଟର

ମୁନ୍ଦ୍ରା (ଗୁଜୁରାଟ): ଭାରତୀୟ ବାୟୁସେନା ପାଇଁ ପ୍ରତିରକ୍ଷା ବିଭାଗ ଆମେରିକା ଠାରୁ କିଣିବାକୁ ଥିବା ବୋଇଂ ସିଏଚ୍‌-୪୭ଏଫ୍‌ ଚିନୋକ୍‌ ହେଲିକପ୍ଟରର ପ୍ରଥମ କିସ୍ତି ଆଜି (ରବିବାର) ସକାଳେ ଆସି ଗୁଜୁରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି। ଚଳିତ ମାସ ପ୍ରଥମ ସପ୍ତାହରେ ଫିଲାଡେଲଫିଆ ଠାରେ ଆମେରିକା ଏହି ପ୍ରଥମ କିସ୍ତି ବୋଇଂ ସିଏଚ୍‌-୪୭ଏଫ୍‌ ଚିନୋକ୍‌ ହେଲିକପ୍ଟର ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତାନ୍ତର କରିଥିଲା। ଏହାପରେ ଏହି ସବୁ ହେଲିକପ୍ଟର ପାଣି ଜାହାଜ ଯୋଗେ ଆସି ଆଜି ଗୁଜୁରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି।


ଏଠାରେ ଏହି ସମସ୍ତ ହେଲିକପ୍ଟରର ପରୀକ୍ଷଣ କରାଯିବା ପରେ ଏହାକୁ ଚଣ୍ଡିଗଡ଼ ଏୟାର ବେସ୍‌କୁ ପଠାଇ ଦିଆଯିବ। ଏହି ସମସ୍ତ ହେଲିକପ୍ଟର ପାଇଁ ଚଣ୍ଡିଗଡ଼ ଏୟାର ବେସ୍‌ରେ ଦୁଇଟି ସ୍ୱତନ୍ତ୍ର ହାଙ୍ଗର ନିର୍ମାଣ କରା ଯାଇଥିବା ଜାଣିବାକୁ ମିଳିଛି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ୩ ବିଲିୟନ ଆମେରିକୀୟ ଡଲାର ବିନିମୟରେ ଭାରତ ଯୁକ୍ତରାଷ୍ଟ୍ର ଆମେରିକା ଠାର ୨୨ଟି ଆପାଚି ସହ ୧୫ଟି ଚିନୋକ୍‌ ହେଲିକପ୍ଟର କିଣିବା ପାଇଁ ଗତ ୨୦୧୫ରେ ଚୁକ୍ତି ସ୍ୱାକ୍ଷର କରିଥିଲା। ଏହି ବୋଇଂ ସିଏଚ୍‌-୪୭ଏଫ୍‌ ଚିନୋକ୍‌ ହେଲିକପ୍ଟରରେ ଏକକାଳୀନ ୧୦ ଟନ୍‌ ଓଜନର ଯୁଦ୍ଧାସ୍ତ୍ର ପରିବହନ କାରଯାଇ ପାରବ। ଭାରତୀୟ ବାୟୁସେନାର ପାଇଲଟମାନଙ୍କ ଇତମଧ୍ୟରେ ବୋଇଂ ସିଏଚ୍‌-୪୭ଏଫ୍‌ ଚିନୋକ୍‌ ହେଲିକପ୍ଟର ଉଡ଼ାଣ ଟ୍ରେନିଂ ମଧ୍ୟ ପ୍ରଦାନ କରାଯାଇ ସାରିଥିବା ଜାଣିବାକୁ ମିଲିଛି।

ସମ୍ବନ୍ଧିତ ଖବର