ତାଲିବାନ କ୍ଷମତାକୁ ଆସିବା ପରେ କାବୁଲ ବିମାନବନ୍ଦରରେ ଅବତରଣ କଲା ପ୍ରଥମ ଆନ୍ତର୍ଜାତୀୟ ବାଣିଜ୍ୟିକ ବିମାନ

କାବୁଲ: ଗତ ମାସରେ ତାଲିବାନ କ୍ଷମତାକୁ ଆସିବା ପରେ ଆଜି ପ୍ରଥମ ଥର ପାଇଁ କାବୁଲରୁ ଏକ ଆନ୍ତର୍ଜାତୀୟ ବାଣିଜ୍ୟିକ ବିମାନ ଉଡ଼ାଣ ଆରମ୍ଭ କରିଛି। ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ସୁରକ୍ଷା ଦୃଷ୍ଟିରୁ କାବୁଲ ଏୟାରସ୍ପେସକୁ ବନ୍ଦ କରିଦିଆଯାଇଥିଲା | ଏହା ପରେ ବିଭିନ୍ନ ଦେଶର ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ବାୟୁସେନାର ସ୍ୱତନ୍ତ୍ର ବିମାନ ପଠାଯାଇଥିଲା |

ଏବେ ତାଲିବାନ ନିଜର କାମଚଳା ସରକାର ଗଠନ କରିସାରିଥିବା ବେଳେ ଆଜି ପ୍ରଥମ କରି ଏକ ଆନ୍ତର୍ଜାତୀୟ ବାଣିଜ୍ୟିକ ବିମାନ ଉଡ଼ାଣ କରିଛି | ଆଜି ସକାଳେ ଇସଲାମାବାଦକୁ ଫେରିବା ପୂର୍ବରୁ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ଏକ ବିମାନ କାବୁଲରେ ଅବତରଣ କରିଥିଲା। ବିମାନବନ୍ଦର ଗ୍ରାଉଣ୍ଡ କର୍ମଚାରୀଙ୍କ ଅନୁଯାୟୀ ବିମାନରେ ପ୍ରାୟ ୭୦ଜଣ ଲୋକ ଥିଲେ | ସେମଧ୍ୟରୁ ଅଧିକାଂଶ ଆଫଗାନ ଥିଲେ, ଯେଉଁମାନେ ବିଶ୍ୱ ବ୍ୟାଙ୍କ ଭଳି ଆନ୍ତର୍ଜାତୀୟ ସଂଗଠନ କର୍ମଚାରୀଙ୍କ ସମ୍ପର୍କୀୟ ଥିଲେ।

ଏବେ ଧିରେ ଧିରେ ଆଫଗାନିସ୍ତାନରେ ବନ୍ଦ ଥିବା କାମ ଆରମ୍ଭ ହୋଇସାରିଥିଲେ ବି ଆଫଗାନିସ୍ତାନ ଛାଡିଥିବା ଲୋକ ଫେରିବାକୁ ଚାହୁଁନାହାନ୍ତି | ଆଫଗାନିସ୍ତାନ ମହିଳାମାନେ ଦାବି କରିଛନ୍ତି ଯେ, ପୂର୍ବ ଭଳି ମହିଳାଙ୍କୁ କାମ କରିବାକୁ ଅନୁମତି ଦିଆଯିବା ସହ ସମସ୍ତ ସ୍ୱାଧୀନତା ଦିଆଯିବା ପରେ ହିଁ ସେମାନେ ଆଫଗାନିସ୍ତାନ ଫେରିବେ |

ସମ୍ବନ୍ଧିତ ଖବର