ବିଶ୍ବ ଓଡ଼ିଶା ସମାଜର ପ୍ରଥମ ପ୍ରତିଷ୍ଠା ଦିବସ

ଲସଏଞ୍ଜଲସ/ ଲଣ୍ଡନ/ ସିଙ୍ଗାପୁର/ ଦୁବାଇ/ଭୁବନେଶ୍ୱର : ବିଶ୍ୱ ଓଡ଼ିଶା ସମାଜ(ବିଓସ୍‌)ର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ବିଶ୍ବବ୍ୟାପୀ କରୋନା ସଂକ୍ରମଣ ତୀବ୍ରରୂପ ଧାରଣ କରିଥିବାରୁ ଉତ୍ସବକୁ ନିରାଡ଼ମ୍ବର‌ରେ ପାଳନ କରାଯାଇଥିଲା। ବିଓଏସ୍‌ର ବରିଷ୍ଠ ସଦସ୍ୟ ବଦ୍ରିନାଥ ମିଶ୍ର, ମଧୁସୂଦନ ମିଶ୍ର ଏବଂ ବିଶିଷ୍ଠ ବାଲୁକା ଶିଳ୍ପୀ ମାନସ ସାହୁ ପ୍ରମୁଖ ପୁରୀ ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରି ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଶୀର୍ବାଦ ଭିକ୍ଷା କରିବା ସହ କରୋନା ମହାମାରୀର ଦୂରୀକରଣ ପାଇଁ ପ୍ରାର୍ଥନା କରିଥଲେ। ନୂଆଦିଲ୍ଲୀର ହଜଖାସସ୍ଥିତ ଜଗନ୍ନାଥ ମନ୍ଦିରଠାରେ ବିଓସର ଅଡିଟର୍‌ ସୁଧୀର ଦାଶ, ମହିଳା ଶାଖାର ଉପସଭାପତି ରୀତା ପାତ୍ର ଏବଂ ଅନ୍ୟାନ୍ୟ ସଦସ୍ୟ ସଂସ୍ଥାର ଉତ୍ତରୋତ୍ତର ଉନ୍ନତି ଓ ମାନବ ସମାଜର କଲ୍ୟାଣ ପାଇଁ ଦୀପଦାନ କରିବା ସହିତ ସମୂହ ପ୍ରାର୍ଥନା କରିଥିଲେ। ବିଓସର ସଦସ୍ୟ ଓ ଶୁଭେଚ୍ଛୁମାନେ ସାରା ବିଶ୍ବର ବିଭିନ୍ନ ଜଗନ୍ନାଥ ମନ୍ଦିର, ହିନ୍ଦୁ ମନ୍ଦିର, ଐତିହାସିକ ସ୍ଥଳମାନଙ୍କରେ ଦୀପ ଦାନ, ମହମବତି ପ୍ରଜ୍ଜ୍ବଳନ ଏବଂ ବିଓସର ପ୍ରାଚୀରପତ୍ର ପ୍ରଦର୍ଶନ କରି ଏହି ଶୁଭ ଦିବସକୁ ପାଳନ କରିଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ସାରା ପୃଥିବୀରେ ଓଡ଼ିଆ ସମ୍ପ୍ରଦାୟର ହିତ ସାଧନ ଓ ସ୍ୱାର୍ଥର ସୁରକ୍ଷା ପାଇଁ ଏହି ବିଶ୍ବ ଓଡ଼ିଶା ସମାଜ କାର୍ଯ୍ୟ କରିଆସୁଛି। ସଂସ୍ଥାରେ ସାରା ବିଶ୍ବର ୫୬ଟି ଦେଶର ଓଡ଼ିଆ ପ୍ରତିନିଧିମାନେ ସାମିଲ ହୋଇଛନ୍ତି। ବରିଷ୍ଠ ସାମ୍ବାଦିକ କିଶୋର ଦ୍ବିବେଦୀ ଏହାର ଅଧ୍ୟକ୍ଷ ଥିବା ବେଳେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, କେନିୟାର ଓଡ଼ିଆ ସାଂସଦ ଡ. ସ୍ୱରୂପ ମିଶ୍ର, ଶୋଭାନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଡ. ଅରୁନ୍ଧତୀ ଦେବୀ ଯଥାକ୍ରମେ ଏହାର ମୁଖ୍ୟ ପୃଷ୍ଠପୋଷକ, ମୁଖ୍ୟ ଉପଦେଷ୍ଟା ଓ ପ୍ରତିଷ୍ଠାତ୍ରୀ।

ସମ୍ବନ୍ଧିତ ଖବର